ରାଜଗାଙ୍ଗପୁର,୧୬ା୧(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକରେ ଗୁରୁବାର ଯୁବତୀଙ୍କ ଘର ଆଗରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଯୁବକ ହେଲେ ରାଣିବନ୍ଧ ତଳପଡ଼ା ଅଞ୍ଚଳର ବିକାଶ ମହାନନ୍ଦିଆ (୨୫)। ଏନେଇ ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକ ଜଣକ ନିଜେ ପ୍ରାଣ ହରାଇଛନ୍ତି କି ତାଙ୍କୁ କେହି ହତ୍ୟାକରି ଝୁଲାଇ ଦେଇଛନ୍ତି, ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୪ବର୍ଷ ହେଲା ବିକାଶ ଜଣେ ଯୁବତୀଙ୍କ ସହିତ ବନ୍ଧୁତା ସମ୍ପର୍କ ରଖିଥିଲେ। ପରେ ବିକାଶ ଉକ୍ତ ଯୁବତୀଙ୍କୁ ଭଲପାଇ ବସିଥିଲେ। ଏପରି କି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଯୁବତୀ ଜଣକ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ। ଏହାସତ୍ତ୍ୱେ ବିକାଶ ତାଙ୍କୁ ବିବାହ ପାଇଁ ଜଦ୍ ଧରିଥିଲେ। ବୁଧବାର ରାତିରେ ବିକାଶ ଉକ୍ତ ଯୁବତୀଙ୍କ ଘର ପାଖକୁ ଆସିଥିଲେ। ଗୁରୁବାର ସକାଳେ ବିକାଶଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ରାଜଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।