ଉଦଳା,୨୪।୨(ସନ୍ତୋଷ କୁମାର ବାଛିନୀ): ଝଗଡାରୁ ଯୁବକଙ୍କୁ ଗଡିଗାଁରେ ଗୋଡେଇ ଗୋଡେଇ ବାଡେଇ ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ । ପୂର୍ବ ଘଟଣାରେ ଥିଲେ ପ୍ରତ୍ୟକ୍ଷଦର୍ଶୀ। ଆଉ ଘଟଣାରେ ସାକ୍ଷୀ ଦେବାକୁ ଯାଇ ଫେରିବା ପରେ ଆରମ୍ଭ ହେଲା ଝଗଡା । ଆଉ ଝଗଡାରୁ ଯୁବକଙ୍କୁ ଗାଁ ରେ ଗୋଡେଇ ଗୋଡେଇ ବାଡେଇ ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଗଡିଗାଁରେ।
ଗତ ନଭେମ୍ବର ମାସରେ ଧାନଘେରା ଗ୍ରାମରେ ରାତିରେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ଗଡିଗାଁ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ ଧରିବା ସହିତ ଉଭୟଙ୍କୁ ମାଡ଼ ମାରିଥିଲେ। ନିର୍ଘାତ ମାଡ଼ ମାରିବା ପରେ ବାପି କୋହ୍ଲାରର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା ମାମଲାରେ କୋର୍ଟ ଚାଲାଣ କରିଥିବା ବେଳେ କାହ୍ନୁ ମଢେଇକୁ ଚୋରି ମାମଲାରେ ଜେଲ ପଠାଇଥିଲା।
କାହ୍ନୁ ଜେଲରୁ ବେଲରେ ଆସିବା ପରେ ତାର ସାଥି ବାପି କୋହ୍ଲାର ହତ୍ୟା ଘଟଣାରେ ସିଏ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ। ସୋମବାର ଉକ୍ତ ଘଟଣାରେ ସାକ୍ଷୀ ଦେବାକୁ କୋର୍ଟ ଯାଇଥିବା ବେଳେ ସେଠାରୁ ଫେରିବା ପରେ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀଙ୍କ ସମ୍ପର୍କୀୟ ୃଙ୍କ ସହିତ ଗ୍ରାମରେ ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ନେଇଥିଲା । ୫ ଜଣ ଯୁବକ କାହ୍ନୁଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କାହ୍ନୁ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ବେଳେ ଯୁବକମାନେ ମଧ୍ୟ ସେହି ଘରେ ପଶି ତାକୁ ଆକ୍ରମଣ କରିଥିଲେ ଏବଂ ବାହାରକୁ ଆଣି ବାଡେଇ ବାଡେଇ ମାରି ଦେଇଥିଲେ। ଖବର ପାଇ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି ।