ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ହାଟପଦା ସାହିରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପଦ୍ମପୁର ତେଲିସାହିର ଭୈରବ ସାହୁ (୫୦)।

ତେବେ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ରାୟଗଡ଼ା ଏଏସ୍‌ପି ଅମୂଲ୍ୟ ଧର, ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏ ନେଇ ପଦ୍ମପୁର ଥାନାରେ କେସ୍‌ ନଂ. ୬୦/୨୫ରେ ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଏହି ମାମଲାରେ ସମ୍ପୃକ୍ତ ୨୮ଜଣଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରଧାନ କହିଛନ୍ତି।

Share