କେନ୍ଦ୍ରାପଡ଼ା/ମାର୍ଶାଘାଇ,୩।୮(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଳପଡ଼ାସ୍ଥ ପୋଲ ଉପରୁ ଲୁଣାନଦୀକୁ ଜଣେ ଯୁବତୀ ରବିବାର ଡେଇଁପଡିଥିଲେ। ଯୁବତୀ ଜଣକ ନଦୀର ପ୍ରଖର ଶୁଅରେ ଭାସି ଯାଉଥିବା ବେଳେ ୩ ଜଣ ସାହସୀ ଯୁବକ କଳପଡ଼ା ପୋଲଠାରୁ ୪ କିଲୋମିଟର ଦୂର ଗୋଧନ ନିକଟରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ତେବେ ନଦୀକୁ ଡେଇଁବାର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଅଛି। ଯୁବତୀ ଜଣକ ହେଉଛନ୍ତି ମାର୍ଶାଘାଇ ଥାନା ବଉଳାଙ୍ଗ ଗ୍ରାମର। ସକାଳ ପ୍ରାୟ ୯ଟାରେ ସେ ଗ୍ରାମର ଅନ୍ୟ ଜଣେ ଯୁବତୀଙ୍କ ସ୍କୁଟିରେ ଲିଫ୍ଟ ମାଗି କଳପଡ଼ାରେ ପହଞ୍ଚତ୍ ଥିଲେ। ପୋଲର ଗୋଟିଏ ପାର୍ଶ୍ୱରେ ଓହ୍ଲାଇ ମଝି ପୋଲରେ ହଠାତ ନଦୀକୁ ଡେଇଁ ପଡିଥିଲେ। ଏହି ଘଟଣା ପରେ ଉପସ୍ଥିତ ଲୋକ ଯୁବତୀଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀକୁ ସୂଚନା ଦେଇଥିଲେ।
ଅପରପକ୍ଷରେ ପ୍ରାୟ ୪ କିଲୋମିଟର ଦୂରରେ ନଦୀ ମଧ୍ୟରେ ରବର ଟ୍ୟୁବରେ ବନ୍ୟା ଜଳକୁ ଉପଭୋଗ କରୁଥିବା ମାର୍ଶାଘାଇ ବ୍ଲକ ବାହାକଣ୍ଡିଆ ଗ୍ରାମର ଅମରଜିତ ବାରିକ, ଲିଟନ ନାୟକ ଓ ବଛରାଇ ଗ୍ରାମର ଭାଗୀରଥି ପ୍ରଧାନ ଯୁବତୀଙ୍କୁ ଭାସି ଯାଉଥିବା ଦେଖି ଉଦ୍ଧାର କରିଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ସଂଜ୍ଞାହୀନ ଯୁବତୀଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।


