ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ୨୦ ବର୍ଷୀୟା ଯୁବତୀ, ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୋଲିସ

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ବ୍ରାହ୍ମଣୀଗାଁ ପୋଲିସ ହାତରେ ଧରାପଡ଼ିଛନ୍ତି। ଯୁବତୀଙ୍କଠାରୁ ୨ ଟି ବ୍ୟାଗରେ ଥିବା ୮ କେଜି ଗଞ୍ଜେଇକୁ ପୋଲିସ ଜବତ କରାଯାଇଛି। ଗିରଫ ଯୁବତୀ ହେଲେ ଗଜପତି ଜିଲା ଆଲିଗଣ୍ଡା ଗ୍ରାମର ସୋଫିଆ ସେନାପତି (୨୦) ବୋଲି ତଦନ୍ତକାରୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି। ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଦୁଃଶାସନ ସ୍ବାଇଁଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଓଜନ କରି ତାକୁ ଜବତ କରିଛି। ଏନେଇ ବ୍ରାହ୍ମଣୀଗାଁ ଥାନାରେ (୯୧/୨୫) ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ପୋଲିସ କହିଛି।
ପ୍ରକାଶ ଯେ, ଏଥିରେ ସମ୍ପୃକ୍ତ ଯୁବତୀଜଣଙ୍କ ସରାମୁଳି ପଞ୍ଚାୟତ ଧୂଶାରିଗାଁ ଅଞ୍ଚଳରୁ ଗଞ୍ଜେଇ ନେଇ ଗଜପତି ଅଭିମୁଖେ ଯିବାପାଇଁ ମେରାମାହା ଛକରେ ବସକୁ ଅପେକ୍ଷା କରିଥିଲେ ଖବର ପାଇ ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ରମାକାନ୍ତ ସେଠି ମେରାମାହା ଛକ ରେ ପହଞ୍ଚି ଯୁବତୀଙ୍କୁ କାବୁ କରିଥିଲେ। ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମଥର ଜଣେ ଗଞ୍ଜେଇ ବ୍ୟବସାୟୀ ଯୁବତୀଙ୍କୁ ପୋଲିସ ଗିରଫ କରିବା ପରେ ଏବେ ଯୁବତୀ ଓ ମହିଳାମାନେ ମଧ୍ୟ ଏହି ବ୍ୟବସାୟ କରିବାକୁ ଭୟ କରୁ ନ ଥିବା କିମ୍ବା ପଛାଉ ନ ଥିବା ପୋଲିସ ସନ୍ଦେହ କରିଛି। ଯୁବତୀ ଜଣେ ନା ତାଙ୍କ ସହ ଆଉ କିଏ ଏହି ବ୍ୟବସାୟରେ ସମ୍ପୃକ୍ତି ରହିଛି ଏବେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।