ବୀରମହାରାଜପୁର,୧।୧୧ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡି ଠାରେ ଏକ ଗଣବଳାତ୍କାର ହୋଇଥିବା ବୀରମହାରାଜପୁର ଥାନାରେ ଶନିବାର ପୀଡିତା ଯୁବତୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ହିକୁଡି ଗ୍ରାମର ଅଶୋକ ମିଶ୍ରଙ୍କ ଝିଅ ପ୍ରତିମା ମିଶ୍ର (୨୦) ଏକ ଘରୋଇ କମ୍ପାନୀରୁ କାର୍ଯ୍ୟ ସାରି ଘରକୁ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହିକୁଡି ଆଇଟିଆଇ କଲେଜ ପାଖରେ ଥିବା ବନ୍ଧ ପାଖରେ ତିନି ଜଣ ମୁଖା ପିନ୍ଧିଥିବା ଯୁବକ ଯୁବତୀଙ୍କୁ ଅଟକାଇ ଏକ ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ଯୁବତୀ ଜଣଙ୍କ ଚେତାଶୂନ୍ୟ ହୋଇପଡିଥିଲେ। ଏହାର ଫାଇଦା ଉଠାଇ ଯୁବକମାନେ ଯୁବତୀଙ୍କୁ ଏକ ବିଲକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ପୀଡିତା ଯୁବତୀଙ୍କ ଚେତା ଫେରିବା ପରେ ଘଟଣା ବିଷୟରେ ଜାଣିପାରିଥିଲେ। ଖବରପାଇ ପ୍ରଥମେ ଧର୍ମଶାଳା ଫାଣ୍ଡି ଅଧିକାରୀ ବସନ୍ତ କୁମାର ରଥ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ଉଚ୍ଚ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ। ଘଟଣାକୁ ଗୁରୁତର ସହ ନେଇ ସୁବର୍ଣ୍ଣପୁର ଜିଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ, ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରାହୀ ଶୁକ୍ରବାର ରାତି ସାରା ତନାଘନା କରିଥିଲେ। ଶନିବାର ସକାଳେ ପୀଡିତା ଯୁବତୀ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ବୀରମହାରାଜପୁର ଥାନା କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜୁ କରିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ପୀଡିତାଙ୍କ ଜଣେ ଅତି ନିକଟତମ ସମ୍ପର୍କିତ ବନ୍ଧୁ ଏଭଳି କରିଥିବା କୁହାଯାଉଛି। ଏନେଇ ବୀରମହାରାଜପୁର ପୋଲିସ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୋନପୁର ସମ୍ବଲପୁର ଏକ ମୁଖ୍ୟ ରାସ୍ତା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
\