ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟା ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପାଟଣା ପୋଲିସର ତତ୍ପରତା ଯୋଗୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ପଣ୍ଡାପଡ଼ା ଥାନା ଅଞ୍ଚଳର ଏହି ଯୁବତୀ ଜଣକ ପାଟଣା ବ୍ଲକ ଚିନାମାଳୀପୋଷି ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହି ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକେ ଜାଣିବା ପରେ ଯୁବତୀଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଯୁବତୀଜଣକ ଘରୁ ବାହାରି ପାଟଣା ମୁଖ୍ୟାଳୟସ୍ଥିତ ପରମେଶ୍ୱର ଶିବ ମନ୍ଦିର ନିକଟରେ ପ୍ରେମିକଙ୍କୁ ଭେଟିବାକୁ ଆସିଥିଲେ।

ପ୍ରେମିକ ସେଠାରେ ପହଞ୍ଚି ନ ଥିବାରୁ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ବୈତରଣୀ ନଦୀ ପୋଲ ଉପରକୁ ଯାଇଥିଲେ। ସେ ସେଠାରେ ବିପଦପୂର୍ଣ୍ଣ ଭାବେ ବ୍ରିଜ କଡ଼ରେ ଠିଆ ହୋଇ ନିଜର ଫଟୋ ଉଠାଇ ପ୍ରେମିକଙ୍କ ହ୍ବାଟ୍ସଆପ୍‌କୁ ପଠାଇଥିଲେ। ପ୍ରେମିକ ଜଣକ ସେହି ସମୟରେ ପାଟଣାରେ ନ ଥିବା ଜଣାପଡ଼ିଛି।
ଯୁବତୀଙ୍କୁ ଏଭଳି ଅବସ୍ଥାରେ ଦେଖି କିଛି ପ୍ରତ୍ୟକ୍ଷଦର୍ଶୀ ତୁରନ୍ତ ପାଟଣା ଥାନାକୁ ଖବର ଦେଇଥିଲେ। ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଶନିବାର ଅପରାହ୍ନରେ ଯୁବତୀଙ୍କ ସମ୍ପର୍କୀୟ ଭାଇ ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ପରିବାର ଜିମା ଦେଇଛି।

Dharitri – Odisha’s No.1 Odia Daily

Share