ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ ୩ଦିନ ଧରି ନିଅଁା ଜଳୁଛି। ଏହି ତାତି ଥମି ନ ଥିବାବେଳେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ବ୍ଲକ ଅଧୀନ ଧାମରା ଥାନା ଅଞ୍ଚଳରେ ରୋଷେଇ ଘରେ ଜଣେ ବାପଛେଉଣ୍ଡ ଝିଅଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ଲୋକଲଜ୍ଜା ଭୟରେ ବିଷପିଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ମା’ ଏନେଇ ଗୁରୁବାର ଧାମରା ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ହାତଲେଖା ଚିଠି ଏବଂ ତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ଗତ ୧୭ ତାରିଖ ସନ୍ଧ୍ୟାରେ ଘରେ ରୋଷେଇ କରୁଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ପହଞ୍ଚତ୍ ତାଙ୍କ ଓଢ଼ଣିକୁ ଯୁବତୀଙ୍କ ପାଟିରେ ଦେଇ ବଳାତ୍କାର କରିଥିଲେ। ଘଟଣାର ୨ ଦିନ ପରେ ଅର୍ଥାତ୍‌ ୨୦ ତାରିଖରେ ଯୁବତୀ ଜଣକ ଏକ କାଗଜରେ ଏ ସମ୍ପର୍କରେ ଲେଖି ଦେଇ ଆତ୍ମହତ୍ୟା ପାଇଁ ଦୁଦୁରା ମଞ୍ଜି ଖାଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଧାମରା ସ୍ବାସ୍ଥ୍ୟକେନ୍ଦ୍ର, ପରେ ଭଦ୍ରକ ଏବଂ କଟକର ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ବାହାରେ ପ୍ରକାଶ କଲେ ତାଙ୍କର ଅନ୍ୟ ଭଉଣୀମାନଙ୍କ ସହ ଏପରି କରାଯିବ ବୋଲି ଯୁବକ ଜଣକ ଧମକ ଦେଇଥିବା ପୀଡ଼ିତା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଏନେଇ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ବାଇଁ କହିଛନ୍ତି, ଘଟଣାର ସତ୍ୟତା ଅଛି। ଲୋକଲଜ୍ଜା ଭୟରେ ପୀଡ଼ିତା ଏହି ଘଟଣାକୁ ବାହାରେ ପ୍ରକାଶ କରିପାରି ନ ଥିବାବେଳେ ଶେଷରେ ବିଷ ପିଇଦେଇଥିଲେ। ଏନେଇ ଏକ ମାମଲା(ନଂ.୫୬/୨୫) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily