ଉନ୍ନତି ଅପେକ୍ଷାରେ ଯୁବ ଭୋଟର

ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଉପନିର୍ବାଚନ। ଏଥିରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସମେତ ଯୁବ ଭୋଟରମାନେ ଏହି ନିର୍ବାଚନକୁ ନେଇ କ’ଣ ଭାବୁଛନ୍ତି ଏବଂ କେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଜାଣିବା ପାଇଁ ଆମେ ଉଦ୍ୟମ କରିଛୁ। ଏଥିପାଇଁ ଆମେ ବିଭିନ୍ନ କଲେଜର ଛାତ୍ରୀଛାତ୍ରଙ୍କୁ ଭେଟି ଆଲୋଚନା କରିଛୁ। ନୂଆପଡ଼ାସ୍ଥିତ ନ୍ୟାଶନାଲ କଲେଜର ଯୁକ୍ତ୩ ଶେଷ ବର୍ଷର ଛାତ୍ରୀ ସାନୁ ଠାକୁର ଓ ଅନ୍ୟ କେତେଜଣ ଛାତ୍ରୀଙ୍କ ସହିତ ଶନିବାର ଅପରାହ୍ନ ୧ଟାରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ଯୁବ ମତଦାତାଙ୍କ କହିବା କଥା ହେଉଛି, ଯେତେବେଳେ ବି ନୂଆପଡ଼ା କଥା ଆଲୋଚନା କରାଯାଏ, ସେତେବେଳେ ଏହା ଦାଦନ ପ୍ରବଣ ଓ ପଛୁଆ ଅଞ୍ଚଳ ବୋଲି ବିଚାର କରାଯାଏ। ଜିଲାକୁ ନେଇ ଏଭଳି ଟ୍ୟାଗଲାଇନ୍‌ ଥିବାବେଳେ ଛାତ୍ରୀଛାତ୍ର ଓ ଯୁବ ମତଦାତା ଭାବେ ତାହା ସେମାନଙ୍କୁ ଭଲ ଲାଗୁ ନାହିଁ। ସେମାନେ ବିକଶିତ ଓ ସମୃଦ୍ଧ ନୂଆପଡ଼ା ଚାହୁଁଥିବା ମତଦେଇଛନ୍ତି।
ଉପନିର୍ବାଚନରେ ଭାଜପାରୁ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡିରୁ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଆଦିବାସୀ ନେତା ଘାସିରାମ ମାଝୀଙ୍କ ସମେତ ୧୪ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିପାଇଁ ନୂଆପଡ଼ା ଏବେ ନେତାଙ୍କ ଛାଉଣି। ୨୪ ବର୍ଷ ଧରି ଶାସନରେ ଥିବା ଏବକାର ମୁଖ୍ୟ ବିରୋଧୀ ଦଳ ବିଜେଡି ସମେତ ବର୍ତ୍ତମାନର ଶାସକ ଭାଜପା ଏବଂ କଂଗ୍ରେସର ଅନେକ ନେତା ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ହେଲେ ସେମାନେ ନୂଆପଡ଼ାର ବାସ୍ତବ ସମସ୍ୟାଠାରୁ ଦୂରରେ ରହୁଥିବା ଯୁବ ଭୋଟରମାନେ ମତ ଦେଉଛନ୍ତି।
ନୂଆପଡ଼ା କଲେଜରେ ପଢ଼ୁଥିବା କାଦୋମେରି ପଞ୍ଚାୟତ ଗୁଡାପତେରା ଗ୍ରାମର ଶୈଳେଶ ପଟେଲ ଚଳିତ ଉପନିର୍ବାଚନରେ ପ୍ରଥମ ଥର ଭୋଟ ଦେବେ। ସେ କୁହନ୍ତି ‘ଆମ ଅଞ୍ଚଳ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ମାତ୍ର ଆମେ ଏବେ ବି ଅବହେଳିତ ଓ ପଛୁଆ ହୋଇପଡିଛୁ। ବର୍ତ୍ତମାନ ଯେହେତୁ ଉପନିର୍ବାଚନ ହେଉଛି, ଏଥିରେ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ମତଦାନ କରି ବିଜୟୀ କରାଇବୁ।’ ସେହିପରି ବେଲଟୁକୁରୀ ଗ୍ରାମର ନିଶାନ୍ତ ଚନ୍ଦ୍ରକାର, ଯିଏକି ନୂଆପଡ଼ା କଲେଜରେ ପଢ଼ନ୍ତି, ସେ କହିଛନ୍ତି, ‘ଆମ ଅଞ୍ଚଳରେ ଯେଉଁ କେତୋଟି ପ୍ରମୁଖ ସମସ୍ୟା ରହିଛି, ତାହା ମଧ୍ୟରେ ଦାଦନ, ବେରୋଜଗାର, ଶିକ୍ଷା ଓ ଯୋଗାଯୋଗର ଅଭାବ ଏବଂ ସରକାରୀ ଯୋଜନା ଅପହଞ୍ଚ ଆଦି ଅନ୍ତର୍ଭୁକ୍ତ। ମାତ୍ର ଏସବୁ ପ୍ରତି କୌଣସି ଦଳର ନଜର ପଡ଼ୁନାହିଁ। ତେଣୁ ଏସବୁ କାମ କରିପାରିବା ଭଳି ପ୍ରାର୍ଥୀଙ୍କୁ ହିଁ ଆମେ ମତଦାନ କରିବୁ।’
ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସମୁଦାୟ ମତଦାତାଙ୍କ ମଧ୍ୟରୁ ପ୍ରାୟ ୧୦ ହଜାରରୁ ଅଧିକ ଯୁବ ମତଦାତା। ୨୦୨୪ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ ମଧ୍ୟ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ସେତେବେଳର ସ୍ବାଧୀନ ପ୍ରାର୍ଥୀ ତଥା ବର୍ତ୍ତମାନର କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ପ୍ରାୟ ୧୦ ହଜାର ୮୮୧ ଖଣ୍ଡ ଅଧିକ ଭୋଟ ପାଇଥିଲେ। ବିଜୟୀ ଭୋଟ ବ୍ୟବଧାନ ଅଳ୍ପ ଥିବାରୁ ଏବଂ ଏବେ ଯୁବ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଥିବାରୁ ସେମାନେ ଯେକୌଣସି ଦଳର ବିଜୟରେ ପ୍ରମୁଖ ଭୂମିକା ନେଇପାରନ୍ତି। ତେଣୁ ସବୁ ଦଳର ପ୍ରାର୍ଥୀ ଯୁବ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଥିବା ଲକ୍ଷ୍ୟ କରାଯାଉଛି।
ଟାନୱାଟ ଗ୍ରାମର ଜଣେ ଛାତ୍ର ପୂର୍ଣ୍ଣଚନ୍ଦ୍ର ଦୁରିଆ କୁହନ୍ତି, ‘ଆମ ଅଞ୍ଚଳରେ ଆହୁରି ସ୍କୁଲ, କଲେଜ ହେବା ଆବଶ୍ୟକ। ଶିକ୍ଷାକୁ ସୁଦୃଢ଼ କରାଇବାର ଆବଶ୍ୟକତା ରହିଛି। ଯିଏ ତୃଣମୂଳ ସ୍ତରର ଲୋକଙ୍କ କଥା ଶୁଣିବ, ଆମ ଭୋଟ ସିଏ ପାଇବେ।’ ଖରିଆର ରୋଡ୍‌ର ଯୁକ୍ତ୩ ଶେଷ ବର୍ଷର ଛାତ୍ରୀ ବର୍ଷା ରାଣା ଚଳିତ ନିର୍ବାଚନରେ ପ୍ରଥମ ଥର ମତଦାନ କରିବେ। ସେ ସ୍ଥାନୀୟ ଅଞ୍ଚଳର ସମସ୍ୟା କଥା କହିଛନ୍ତି। ତାଙ୍କ କହିବାନୁଯାୟୀ ତାଙ୍କ ଅଞ୍ଚଳରେ ପିଜି, ବିଏଡ ଭଳି ପାଠ୍ୟକ୍ରମ ପଢ଼ିବାର ସୁବିଧା ନାହିଁ। ସ୍କୁଲ ଓ କଲେଜର ଶିକ୍ଷାଦାନ ପ୍ରଣାଳୀ ଉଚ୍ଚମାନର ହୋଇପାରୁ ନାହିଁ। ଏସବୁ ନେତାମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ସହିତ ସରକାର ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି, ମାତ୍ର ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯୋଜନାର ଅଧା ଅନେକ ସମୟରେ ହରିଲୁଟ୍‌ ହୋଇଯାଉଥିବା ସେ କହିଛନ୍ତି। ଚଳିତ ନିର୍ବାଚନରେ ସେ ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବେ ବୋଲି କହିଛନ୍ତି।
ଦୁମେରପାଣି ପଞ୍ଚାୟତର ସିଲଦା ଗ୍ରାମର ଜଣେ ଛାତ୍ରୀ କରିନା ପାଣ୍ଡେ କୁହନ୍ତି , ‘ଆମ ଜିଲାରେ ଅନେକ ପ୍ରତିଭାବାନ ପିଲା ଅଛନ୍ତି, ମାତ୍ର ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ମିଳିପାରୁ ନାହିଁ। ଏହି ଅଞ୍ଚଳର ପ୍ରାୟ ୯୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି, ମାତ୍ର ଆବଶ୍ୟକ ଜଳସେଚନର ସୁବିଧା କରାଯାଇନାହିଁ। ଏହାସହିତ ଅନେକ ନାମମାତ୍ର ଚାଷୀ ଅଟନ୍ତି। ସେମାନେ ଚାଷ କାମ ସରିଲେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହା ଆମ ଅଞ୍ଚଳ ପାଇଁ ସବୁଠୁ ବଡ଼ ସମସ୍ୟା।’ ଚଳିତ ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଦଳକୁ ନୁହେଁ, ବ୍ୟକ୍ତିତ୍ୱକୁ ଦେଖି ମତଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ସିଲଭା ପଞ୍ଚାୟତର ଲଖନା ଛିନ୍ଦପାଣିର ରଘୁରାମ ସିଂ ମାଝୀ ସୁନସୁନିଆ, ଦର୍ଲ୍ଲିମୁଣ୍ଡା ସ୍ଥିତ ମହାମାୟା ଶିକ୍ଷା ସଂସ୍ଥାରେ ବିବିଏ ପଢୁଛନ୍ତି। ସେ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ (ନେଟୱର୍କ) ସମସ୍ୟା ଥିବା କହିଛନ୍ତି। ସେ କହୁନ୍ତି, ‘ନୂଆପଡ଼ାରେ ଶିଳ୍ପ ସ୍ଥାପନ କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପୂର୍ବ ସରକାର ଆମ ଅଞ୍ଚଳ ପାଇଁ ଅନେକ କାମ କରିଛନ୍ତି। ଧୀରେ ଧୀରେ ନୂଆପଡ଼ାର ବିକାଶ ହେଉଛି। ତେଣୁ ଯିଏ ବିକାଶର କଥା କହିବେ, ତାଙ୍କୁ ଆମେ ଭୋଟ ଦେବୁ।’
ଗୋଡ଼ଫୁଲାସ୍ଥିତ ଗୋପୀନାଥ କଲେଜ ଅଫ୍‌ ନର୍ସିଂରେ ପଢୁଥିବା ବେଲଟୁକୁରୀ ଅଞ୍ଚଳର ଭୀମକାନ୍ତ ଧରୁଆ ଚାଷୀଙ୍କ ସମସ୍ୟା କଥା କହିଛନ୍ତି। ଚାଷ ବେଳେ କୃତ୍ରିମ ସାରର ଅଭାବ, ମଣ୍ଡିରେ ଧାନ ବିକ୍ରି ବେଳେ ହେଉଥିବା ସମସ୍ୟା, କଟନିଛଟ୍‌ନି ଆଦି ସମସ୍ୟା ହେଉଥିବା କହିଛନ୍ତି। ସେ କହୁନ୍ତି ‘ଆମ ଅଞ୍ଚଳ ଏକ ଆଦିବାସୀ ପ୍ରବଣ। ନିର୍ବାଚନମଣ୍ଡଳୀରେ ପ୍ରାୟ ଅଧାରୁ ଅଧିକ ଆଦିବାସୀ ରହିଛନ୍ତି। ଆଦିବାସୀମାନଙ୍କ ଅଶିକ୍ଷାର ସୁଯୋଗ ନେଇ ସରକାରଙ୍କଠାରୁ ଆସୁଥିବା ଯୋଜନା ହରିଲୁଟ ହେଉଛି। ଯୋଜନା ଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ନିର୍ବାଚନମଣ୍ଡଳୀର ଆଦିବାସୀମାନଙ୍କ ପାଇଁ କାହାରି ଆନ୍ତରିକତା ନାହିଁ’ ବୋଲି ସେ କହିଛନ୍ତି। ଜଣେ ଆଦିବାସୀଙ୍କ ସପକ୍ଷରେ ତାଙ୍କର ମତଦାନ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?