ଧରାକୋଟ,୨୫ା୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ପଙ୍କଜ ପ୍ରଧାନ ନାମକ ଜଣେ ମହିଳାଙ୍କ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ଧରାକୋଟ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଆସରା ଗ୍ରାମର ବିଜୟ ପୋଲାଇଙ୍କ ପୁତ୍ର ସୀମାଞ୍ଚଳ ପୋଲାଇ(୨୬)।
ମୃତ ସୀମାଞ୍ଚଳଙ୍କ ଭାଇ ନିରଞ୍ଜନ ଧରାକୋଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ ତାଙ୍କ ଭାଇ ସୀମାଞ୍ଚଳ ଗତ ଶନିବାର ଧାର ଟଙ୍କା ମାଗିବା ପାଇଁ ପୋଡ଼ାପଲି ଯାଉଛି କହି ଘରୁ ବାହାରି ଆସିଥିଲେ। ସନ୍ଧ୍ୟାରେ ଜଣେ ମହିଳା ପଙ୍କଜ ପ୍ରଧାନ ତାଙ୍କୁ ଫୋନ କରି ତାଙ୍କ ଭାଇ ପୋଡ଼ାପଲି ପଙ୍କଜଙ୍କ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ହେଲେ ନିରଞ୍ଜନଙ୍କ ଅଭିଯୋଗ ହେଲା ତାଙ୍କ ଭାଇ ସୀମାଞ୍ଚଳଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୩/୨୫ ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ସଂପୃକ୍ତ ମହିଳାଙ୍କ ସହ ସୀମାଞ୍ଚଳଙ୍କ ସମ୍ପର୍କ କଣ? ସୀମାଞ୍ଚଳଙ୍କଠାରୁ ସେ ଟଙ୍କା ଧାର ଆଣିଥିଲେ କାହିଁକି? ସୀମାଞ୍ଚଳଙ୍କ ସହ ତାଙ୍କର ସୁସମ୍ପର୍କ ସୃଷ୍ଟି ହେଲା କିପରି? ରହସ୍ୟ ମଧ୍ୟରେ ରହିଥିବା ଏହି ଆତ୍ମହତ୍ୟା କାହାଣୀ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ଉପଯୁକ୍ତ ତଦନ୍ତ ପରେ ଖୁଲାସା ହେବ।