ଭୁବନେଶ୍ୱର,୨୪ା୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନ୍କ୍ଲେଭ୍ ବା ଯୁବ ସମ୍ମିଳନୀ’ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୫ମ ସଂସ୍କରଣରେ ପହଞ୍ଚିଥିବାବେଳେ ସୋମବାର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍ ଚେଞ୍ଜ: ଫାଇଣ୍ଡିଂ ସଲ୍ୟୁଶନ୍ସ’।
ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଧରିତ୍ରୀ ୟୁଥ କନ୍କ୍ଲେଭ୍କୁ ଉଦ୍ଘାଟନ କରି ଏହାକୁ ତୃଣମୂଳ ସ୍ତରରେ ପରିବେଶବିତ୍ଙ୍କ ପାଇଁ ଏକ ପ୍ଲାଟଫର୍ମ ବୋଲି କହିଛନ୍ତି। ସେ ଯୁବ ପରିବେଶବିତ୍ମାନଙ୍କୁ ସମର୍ଥନ କରିବା ସହ ‘ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ’ର ଭୂମିକା ଉପରେ ଆଲୋକପାତ କରିଛନ୍ତି।
ସେ କହିଛନ୍ତି,ଏହି ଧରିତ୍ରୀ କ୍ଲାଇମେଣ୍ଟ ଗ୍ରାଣ୍ଟ ପ୍ରୟାସଟି ତୃଣମୂଳ ସ୍ତରରେ ପରିବେଶ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ ଦେବା ଓ ସେମାନଙ୍କୁ ତାଙ୍କ ଗାଁ ଓ ସମୁଦାୟରେ ଯଥୋଚିତ ସ୍ବୀକୃତି ଦେବା ପାଇଁ ଆରମ୍ଭ କରାଯାଇଛି। ଏହି ଗ୍ରାଣ୍ଟ ମାଧ୍ୟମରେ ଯୁବ ପରିବେଶକର୍ମୀମାନେ କେବଳ ପରିଚିତି ଲାଭ କରୁନାହିଁ ବରଂ ଅଧିକ ସାଧନ ମଧ୍ୟ ପାଉଛନ୍ତି।
ସେ ଆହୁରି କହିଛନ୍ତି ରାଜ୍ୟର ବର୍ତ୍ତମାନ ଏକ ବିକଶିତ ହେଉଥିବା ଜଳବାୟୁ ପରିବର୍ତ୍ତନ ଦେଖାଯାଉଛି। ଗତକାଲି ଗ୍ରୀନ ହେରୋ ସମିଟରେ ବହୁ ପରିବେଶକର୍ମୀ ଯୋଗ ଦେଇ ସେମାନଙ୍କ ବିଚାରର ଆଦାନ ପ୍ରଦାନ କରିଥିଲେ। କ୍ଲାଇମେଟ୍ ଫିଲ୍ମ ଫେଷ୍ଟରେ ପରିବେଶକୁ ନେଇ କିଛି ଚଳଚ୍ଚିତ୍ର ପଦର୍ଶନ କରାଯାଇଥିଲା, ଯାହାକି ପରିବେଶ ପାଇଁ କାମ କରୁଥିବା କର୍ମୀଙ୍କୁ ଅଧିକ ଆଇଡିଆ ମିଳିପାରିଛି ବୋଲି କହିଛନ୍ତି ଆଦ୍ୟାଶା ସତପଥୀ।