ଭୁବନେଶ୍ୱର,୨୭ା୧୧ (ରବିନାରାୟଣ ଜେନା): ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠାରୁ ରାଜସ୍ବ ବିଭାଗରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଆଉ କେତେକ ସଂସ୍କାର ଅଣାଯିବାକୁ ରହିଛି। ଲୋକେ ଯେପରି ଜମି କିଣାବିକା ବେଳେ ସମସ୍ୟାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଣିକି ୨୪ ଘଣ୍ଟା ମଧ୍ୟରେ ପଞ୍ଜୀକରଣ ଜମିର ପଟ୍ଟା ଯୋଗାଇବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ହେଁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ ସମୟରେ ଗୋଟିଏ ଲେଖାଏ ପ୍ଲଟ୍ ଏକାଧିକ ଥର ପଞ୍ଜୀକରଣ ହେଉଥିବା ବିଭାଗର ନଜରକୁ ଆସୁଛି। ଏଥିଲାଗି ବିଭାଗ ସମସ୍ୟାରେ ପଡୁଛି। ଲୋକମାନେ କୋର୍ଟ-କଚେରିରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ସରକାରଙ୍କୁ ମଧ୍ୟ ଏହାର ଜବାବ ଦେବାରେ ଖର୍ଚ୍ଚାନ୍ତ ହେବା ସହିତ ସମୟ ଗଡ଼ିଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଣିକି ଜମି ପଞ୍ଜୀକରଣ ଦିନ ହିଁ ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ତେବେ ଏହି ପଟ୍ଟା ପ୍ରସ୍ତୁତ ହେବା ପୂର୍ବରୁ ପଞ୍ଜୀକରଣ ହୋଇଥିବା ଖାତା ଓ ପ୍ଲଟ୍ ନମ୍ବରରୁ ଉକ୍ତ ଅଂଶକୁ ବାଦ୍ ଦିଆଯିବ। ଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଗୋଟିଏ ପ୍ଲଟ୍କୁ ଏକାଧିକ ଥର ବିକାକିଣା ହୋଇପାରିବ ନାହିଁ। ତେବେ ଏହି ପଟ୍ଟା ପ୍ରୋଭିଜନାଲି ଦେବାକୁ ଏବେ ଆପାତତଃ ସ୍ଥିର ହୋଇଛି। ଏନେଇ ଆସନ୍ତା ୨୮ତାରିଖରେ ପୁନର୍ବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଉକ୍ତ ବୈଠକରେ ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରକାଶ ପାଇବ। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ରେକର୍ଡ ଡିଜିଟାଇଜେଶନ ହେବା ଦ୍ୱାରା ଏବେ ୩୦ ବର୍ଷର ଏନ୍କମ୍ବରାନ୍ସ ସାର୍ଟିଫିକେଟ୍(ଇସି) ପ୍ରଦାନ କରାଯାଇପାରୁଛି। ଏହାକୁ ୭୦ ବର୍ଷ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଦେବାକୁ ରାଜସ୍ବ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ଏବେ ଆଉ ୨୦ ବର୍ଷର ରେକର୍ଡ ଡିଜିଟାଇଜେଶନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ହୋଇପାରିଲେ, ଜମିଜମା କିଣାବିକା ସମସ୍ୟାରେ ଅଧିକ ସ୍ବଚ୍ଛତା ଆସିବା ସହିତ ଲୋକେ ଝମେଲାରେ ପଡ଼ିବେ ନାହିଁ ବୋଲି ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ବିଭାଗ ପକ୍ଷରୁ ବିନା କାଗଜରେ ସରକାରୀ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରରୁ ତହସିଲ୍ଦାର ଏବଂ ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏଣିକି ବିନା କାଗଜପତ୍ରରେ ହେବ। ଲୋକସେବା ଭବନରେ ଯେପରି ‘ଓସ୍ବାସ୍’ ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନା ହେଉଛି ଅନୁରୂପ ଭାବେ ତହସିଲଦାର ଓ ଆର୍ଆଇଙ୍କ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆପଣାଯିବ। ଯାହାଫଳରେ ଲୋକେ ଉନ୍ନତମାନର ରାଜସ୍ବ ସେବା ହାତପାଆନ୍ତାରେ ପାଇପାରିବେ ବୋଲି ବରିଷ୍ଠ ଅଧିକାରୀ ଜଣକ ନିଜ ନାମ ଗୋପନ ରଖି କହିଛନ୍ତି।
Dharitri – The Largest & Most Trusted Odia Daily