ମନକୁ ସ୍ଥିର କରିବାର ଅର୍ଥ ଯୋଗ। ମନ ସ୍ଥିର ହେଲେ ସମସ୍ତ ଇନ୍ଦ୍ରିୟ ବଶୀଭୂତ ହୋଇଥାଏ। ତ୍ରିଦୋଷ (ବାତ, ପିତ୍ତ, କଫ), ତ୍ରିମାଳ (ମୂତ୍ର, ପୂରିଷ, ସ୍ବେଦ) ମଧ୍ୟ ସାମ୍ୟାବସ୍ଥାରେ ରହେ। ତେଣୁ ଏହି ଶରୀରରୂପୀ ଈଶ୍ୱରପ୍ରଦତ୍ତ ଯନ୍ତ୍ରକୁ ସୁସ୍ଥ ତଥା ନୀରୋଗ ରଖି ଠିକ୍ ରୂପେ ଚାଳନ ପାଇଁ ଯୋଗାଭ୍ୟାସ ନିତାନ୍ତ ପ୍ରୟୋଜନ। ତେଣୁ ‘ଯୋଗ କର୍ମସୁ କୌଶଳମ୍’ ଅର୍ଥାତ୍, ଯୋଗକୁ କର୍ମ ସାଧନର କୌଶଳ ବୋଲି କୁହାଯାଇଛି। ଯେପରି କଞ୍ଚା ମାଟି ପାତ୍ରରେ ପାଣି ରଖିଲେ ତାହା ମିଳେଇ ଯାଏ, ମାତ୍ର ଅଗ୍ନିରେ ପାକ ହୋଇଥିବା ଘଟରେ ପାଣି ରଖିଲେ ତାହା ମିଳେଇ ନ ଥାଏ। ସେହିପରି ଶରୀରରୂପୀ ଘଟକୁ ଯୋଗାଗ୍ନି ଦ୍ୱାରା ପାକ କରିଲେ ତାହା ବିନିଷ୍ଟ ହୋଇ ନ ଥାଏ। ଶରୀର ସୁସ୍ଥ, ନୀରୋଗ ଓ ସୁଗଠନ ନିମନ୍ତେ ଯୋଗ ହିଁ ଏକମାତ୍ର ପନ୍ଥା। ତେଣୁ ପୁରାତନ କାଳରେ ପତଞ୍ଜଳି ଆଦି ମହର୍ଷିମାନେ ଯୋଗ ଦ୍ୱାରା ନୀରୋଗ ରହି ମନକୁ ନିର୍ମଳ ଏବଂ ଏକାଗ୍ର ରଖି ବେଦ ଶାସ୍ତ୍ରାଦି ଗ୍ରନ୍ଥକୁ ଶ୍ରବଣ କରି ମନେ ରଖୁଥିଲେ।
ଯୋଗକୁ ଆଠଟି ଅଙ୍ଗରେ ବିଭକ୍ତ କରାଯାଇଛି, ଯଥା-ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣ, ଧ୍ୟାନ ଓ ସମାଧି। ‘ଯମ’ର ଅର୍ଥ ଅହିଂସା ଆଚରଣ, ସତ୍ୟ କହିବା, ପରଧନକୁ ଲୋଭ ନ କରିବା, ନିଜର ସ୍ବାର୍ଥ ପାଇଁ ଧନ ସଞ୍ଚୟ ନ କରିବା ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା। ନିୟମର ଅର୍ଥ ଶାରୀରିକ, ମାନସିକ କ୍ରିୟା କଳାପରେ ଶୁଦ୍ଧତା, ଅଳ୍ପରେ ପ୍ରସନ୍ନତା, ତପସ୍ୟା, ପୂଜାପାଠ କରିବା ଓ ଭଗବାନଙ୍କୁ ପ୍ରଣାମ। ଆସନର ଅର୍ଥ ସୁଖପୂର୍ବକ ସ୍ଥିର ଭାବେ ପୃଷ୍ଠ, ଶିର, ଗ୍ରୀବା ଇତ୍ୟାଦି ଶରୀରର ଉପରି ଭାଗ ସିଧା କରି ଦୃଷ୍ଟି ନାସାଗ୍ରକୁ ରଖି ରକ୍ତକମ୍ବଳ ଆସନରେ ବସିବାକୁ ବୁଝାଏ। ପ୍ରାଣାୟାମକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରାଣର ଅର୍ଥ ପ୍ରଶ୍ୱାସ ନେବା, ନିଃଶ୍ୱାସ ତ୍ୟାଗ କରିବା ଏବଂ ଆୟାମର ଅର୍ଥ ବିସ୍ତୃତ। ତେଣୁ ପ୍ରାଣକୁ ବିସ୍ତୃତ କରିବା ବା ଦୀର୍ଘ ଜୀବନ ଲାଭ କରିବା। ପ୍ରତ୍ୟାହାରର ଅର୍ଥ ଇନ୍ଦ୍ରିୟକୁ ଭୋଗ ବିଳାସରୁ ନିବୃତ୍ତ ରଖିବା। ଧାରଣର ଅର୍ଥ ପ୍ରାଣାୟାମ ପରେ ଚିତ୍ତର ଚଞ୍ଚଳତାକୁ ଦୂର କରିବା ପାଇଁ କେନ୍ଦ୍ରୀଭୂତ କରିବା। ଧ୍ୟାନ ଅର୍ଥ ମନର ସ୍ଥିରତାକୁ ଧ୍ୟାନ କୁହାଯାଏ। ସମାଧିର ଅର୍ଥ ଯେତେବେଳେ ଜୀବାତ୍ମା ଓ ପରମାତ୍ମା ସାମ୍ୟବସ୍ଥାରେ ଉପନୀତ ହୁଏ, ଅର୍ଥାତ୍, ଆତ୍ମା ଓ ମନର ଏକତ୍ର ହେବା।
ଉପରୋକ୍ତ ଆସନ ଏବଂ ପ୍ରାଣାୟାମ କରିବା ଦ୍ୱାରା ଶରୀର ନୀରୋଗ ରହିବା ସଙ୍ଗେ ସଙ୍ଗେ ବ୍ୟାଧି ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୁଏ। ମୁଖ ମଣ୍ଡଳରେ କାନ୍ତି ବୃଦ୍ଧି ପାଏ, ବର୍ଣ୍ଣରେ ଉଜ୍ଜ୍ୱଳତା ଆସେ। ମନରେ ଉତ୍ସାହ ସୃଷ୍ଟି ହୁଏ ଏବଂ ନିର୍ଭୟତା ଭାବ ପ୍ରକାଶ ପାଏ। ଏତଦବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିଥାଏ।
-ଡା. ଆଶିଷ ବାନାର୍ଜୀ
ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫