କଟକ,୯ା୧: ଚର୍ଚ୍ଚିତ ଖଳନାୟକ ତଥା ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଶେଷରେ ମୁହଁ ଖୋଲିଛନ୍ତି। ଯାତ୍ରା ମଞ୍ଚ ଚଢ଼ିବା ମନା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି, ନୋଟିସ୍ ମିଳିଲେ ନିଷ୍ପତ୍ତି ନେବି।
ଯାତ୍ରାକୁ ନେଇ ମୁଁ ବଞ୍ଚିଛି, ମଞ୍ଚ ଛାଡ଼ିବିନି ବୋଲି କହିଛନ୍ତି ପୀୟୂଷ । ସୁରୁଖୁରୁରେ ମାମଲାର ସମାଧାନ ହେଉ ବୋଲି ମୁଁ ଆଶା କରୁଛି । ଆଇନ ଉପରେ ବିଶ୍ବାସ ଅଛି, ଧର୍ମର ଜୟ ହେବ । ଯଦି ସବୁକିଛି ପବ୍ଲିକ ହେଉଛି ତା’ ହେଲେ ୨ ବର୍ଷର ଏଗ୍ରିମେଣ୍ଟ ବି ପବ୍ଲିକ ହେଉ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ପ୍ରାୟ ଏକ ବର୍ଷ ପରେ ପୀୟୂଷ ଗତ ଜାନୁଆରୀ ୫ରେ ପୁଣିଥରେ ମଞ୍ଚକୁ ଫେରିଥିଲେ। ସେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ‘ତୁ ମୋ ବଜରଙ୍ଗୀ’ରେ ଅଭିନୟ କରି ନିଜର ପ୍ରତ୍ୟାବର୍ତ୍ତନ କରିଥିଲେ। ପୀୟୂଷ ବିଶ୍ରାମ ନ ନେଇ ପୁଣି ସିଂହବାହିନୀ ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ଅଭିଯୋଗ ଆଣି ସୂର୍ଯ୍ୟମନ୍ଦିର ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାନୁଯାୟୀ, ପୀୟୂଷ ପୂର୍ବରୁ ସୂର୍ଯ୍ୟମନ୍ଦିର ପାର୍ଟିରେ ରହି କାମ କରୁଥିଲେ। ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ହେଲେ ଏହି ଚୁକ୍ତି ସରି ନ ଥିବାବେଳେ ପୀୟୂଷ ସିଂହବାହିନୀ ଆସିବାକୁ ମନ ବଳାଇଥିଲେ। ପୀୟୂଷ ଗତବର୍ଷ ସିଂହବାହିନୀ ମାଲିକଙ୍କଠାରୁ ଅଗ୍ରିମ ଟଙ୍କା ସହ ଏକ କାର୍ ମଧ୍ୟ ନେଇଯାଇଥିଲେ। ସେ ୨୦୨୫ ଯାତ୍ରା ଋତୁରେ ସିଂହବାହିନୀରେ ଯୋଗଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ପାର୍ଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ପରେ ବିବାଦ ଉଗ୍ର ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଗତ ଏପ୍ରିଲ ୧୧ତାରିଖରେ ପୀୟୂଷ ଯାତ୍ରାପାର୍ଟି ସୂର୍ଯ୍ୟମନ୍ଦିର ମାଲିକଙ୍କୁ ୬୦ ଲକ୍ଷ ଏବଂ ସିଂହବାହିନୀ ମାଲିକଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ଏପରି କି ବର୍ଷେ ଯାତ୍ରା କରିବେ ନାହିଁ ବୋଲି ମଧ୍ୟ ପୀୟୂଷ କହିଥିଲେ। ହେଲେ ଗତ ୫ ତାରିଖରେ ସେ ସିଂହବାହିନୀ ଯାତ୍ରା ମଞ୍ଚ ଚଢ଼ିଥିଲେ। ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଏହାକୁ ନେଇ ସୂର୍ଯ୍ୟମନ୍ଦିର ପାର୍ଟି ପକ୍ଷରୁ କୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା।