ନୂଆଦିଲ୍ଲୀ,୧୨ା୧: ହରିୟାଣାର ଯମୁନାନଗରରୁ ଏକ ଖବର ସାମ୍ନାକୁ, ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାହାଣୀଟି କୌଣସି ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ, କିନ୍ତୁ ଏହାର ଶେଷ ସମ୍ପୂର୍ଣ୍ଣ ଦୁଃଖଦ ଏବଂ ହୃଦୟ ବିଦାରକ। ପୁଅକୁ ତାଙ୍କ ମାଆ ସାତ ସମୁଦ୍ର ପାର ହୋଇ ଇଂଲଣ୍ଡକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଠାଇଥିଲେ, ହେଲେ ସେହି ପୁଅ ହିଁ ମାଆର ହତ୍ୟା କରିଥିବା ଜଣାପଡିଛି ।
ଡିସେମ୍ବର ୨୪ତାରିଖ ରାତିରେ ଯମୁନାନଗରର ଶ୍ୟାମପୁର ଗାଁରେ ସରପଞ୍ଚଙ୍କ ସ୍ତ୍ରୀ ବଲଜିନ୍ଦର କୌରଙ୍କ ମୃତଦେହ ମିଳିଥିଲା । ତେବେ ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରି ନଥିଲେ । ମାମଲାର ଚାପ ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ତଦନ୍ତ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା।
ପୋଲିସ ତଦନ୍ତ ଆରମ୍ଭ କରିବା ମାତ୍ରେ ବଲଜିନ୍ଦର କୌରଙ୍କ ପୁଅ ଗୋମିତ ରାଠିର ନାମ ସାମ୍ନାକୁ ଆସିଲା। ଗାଁରେ ଗୋମିତଙ୍କ ବିଷୟରେ କେବଳ ଏତିକି ଜଣା ଥିଲା ଯେ ସେ ଷ୍ଟଡି ଭିସାରେ ଇଂଲଣ୍ଡରେ ପାଠପଢ଼ୁଥିଲେ ଏବଂ ସେଠାରେ ଏକ ଷ୍ଟୋରରେ କାମ କରୁଥିଲେ। ହେଲେ ମାଆ ଏବଂ ପୁଅଙ୍କ ମଧ୍ୟରେ ତିକ୍ତତା ଦେଖି ପୋଲିସ ସନ୍ଦେହ କରିଥିଲା । ପ୍ରକୃତରେ, ଗୋମିତଙ୍କ ଆଚରଣ ପରିବାର ପାଇଁ ବହୁତ ଦିନ ଧରି ଚିନ୍ତାର କାରଣ ଥିଲା। ଏହି ଦ୍ୱନ୍ଦର ମୂଳ ଥିଲା ଅନ୍ୟ ଜାତିର ଜଣେ ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ।
ବଲଜିନ୍ଦର କୌର ଏହି ସମ୍ପର୍କ ବିରୁଦ୍ଧରେ ଥିଲେ ଏବଂ ଜଣେ ମା ଭାବରେ, ତାଙ୍କ ପୁଅକୁ ସଠିକ୍ ରାସ୍ତାରେ ଫେରାଇ ଆଣିବାକୁ ଚାହୁଁଥିଲେ। ତଦନ୍ତ ସମୟରେ ପୁଅ ଡିସେମ୍ବର ୧୮ ତାରିଖରେ ଇଂଲଣ୍ଡରୁ ଚୁପଚାପ୍ ଭାରତ ଫେରି ଆସିଥିଲେ। ସେ ତାଙ୍କ ବାପା କିମ୍ବା ତାଙ୍କ ମାଆଙ୍କୁ ତାଙ୍କ ଆଗମନ ବିଷୟରେ ଜଣାଇ ନଥିଲେ। ତାଙ୍କର ଘନିଷ୍ଠ ବନ୍ଧୁ ପଙ୍କଜ ତାଙ୍କୁ ଏହି ଭୟଙ୍କର ଷଡ଼ଯନ୍ତ୍ରରେ ସହାୟତା କରିଥିଲେ। ଗୋମିତ ଡିସେମ୍ବର ୧୮ ରୁ ଡିସେମ୍ବର ୨୪ ତାରିଖ ପର୍ୟ୍ୟନ୍ତ ତାଙ୍କ ଗାଁର ଏକ ଗୋରୁ ଗୁହାଳରେ ଲୁଚି ରହିଥିଲେ।
ମାଆକୁ ମାରିବା ପାଇଁ ତାଙ୍କୁ ଏଠାରେ ଲୁଚିବାକୁ ପଡିଥିଲା । ଡିସେମ୍ବର ୨୪ ତାରିଖରେ ମାଆ ଏକା ରହିଥିବା ବେଳେ ପୁଅ ଘରକୁ ଯାଇ ମାଆର ତଣ୍ଟି କାଟି ହତ୍ୟା କରିଥିଲେ। ପରେ ଏହାକୁ ଲୁଚାଇବା ପାଇଁ ମୃତଦେହକୁ ନେଇ ପାଣିଟାଙ୍କିରେ ଫିଙ୍ଗି ଦେଇଥିବା ଜଣାପଡିଥିଲା ।
Dharitri – Odisha’s No.1 Odia Daily


