ନୂଆଦିଲ୍ଲୀ,୧୩ା୭: ଯମୁନା ନଦୀ ଜଳସ୍ତର ବଢ଼ିବା ଫଳରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ରାସ୍ତା ପାଣିରେ ବୁଡ଼ିରହିଥିବାରୁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ବନ୍ୟାରେ ଦିଲ୍ଲୀର ୬ଟି ଜିଲା ପ୍ରଭାବିତ ହୋଇଛି। ବନ୍ୟାସ୍ଥିତି ଯୋଗୁ ଲାଲ୍ କିଲ୍ଲାକୁ ଗୁରୁବାର ମଧ୍ୟାହ୍ନରୁ ଶୁକ୍ରବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଘୋଷଣା କରାଯାଇଛି। ହରିୟାଣାର ହାଥନିକୁଣ୍ଡ ବ୍ୟାରେଜ୍ରୁ କ୍ରମାଗତ ଜଳ ନିଷ୍କାସନ ଯୋଗୁ ଗୁରୁବାର ଯମୁନା ନଦୀର ଜଳସ୍ତର ୨୦୮.୬୨ ମିଟରରେ ପହଞ୍ଚିଛି। ବର୍ତ୍ତମାନ ବିପଦ ସଙ୍କେତର ୩ ମିଟରରୁ ଅଧିକ ଉଚ୍ଚରେ ଜଳ ପ୍ରବାହିତ ହେଉଛି।
ଫଳରେ ନଦୀଜଳ ଜନବସତି ଅଞ୍ଚଳକୁ ଆସିଯିବାରୁ ଦିଲ୍ଲୀର ସିଭିଲ ଲାଇନ୍ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏବଂ ଦିଲ୍ଲୀ ବିଧାନସଭାଠାରୁ ୩୫୦ ମିଟର ଦୂରରେ ବନ୍ୟାଜଳ ରହିଛି। ବନ୍ୟାପାଣି ଯୋଗୁ ଆଉଟର ରିଙ୍ଗ୍ ରୋଡ୍ ସମେତ ବହୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇ ଟ୍ୟାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ମେଟ୍ରୋ ସେବା ପ୍ରଭାବିତ ହୋଇଥିବାବେଳେ ବ୍ଲୁ ଲାଇନରେ ପାଣି ଜମିରହିବାରୁ ଯମୁନାକୂଳ ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦିଆଯାଇଛି। ବନ୍ୟାସ୍ଥିତିର ମୁକାବିଲା ଲାଗି ୧୬ଟି ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇଛି।


