ଭଦୋଦରା,୨ା୨- ଚଳିତ ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍) ଅନ୍ତିମ ଲିଗ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ୟୁପି ଓ୍ବାରିଅର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଜେମିମା ରୋଡ୍ରିଗ୍ସଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଏଲିମିନେଟରରେ ସ୍ଥାନ ପକ୍କା କରିଛି। ଆସନ୍ତା ମଙ୍ଗଳବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟ୍ସ ପରସ୍ପରକୁ ଭେଟିବେ। ଅନ୍ୟପକ୍ଷରେ ୩ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ନକ୍ଆଉଟ୍ରୁ ବାଦ୍ ପଡ଼ିଛି।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ୟୁପି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୨୨ ରନ କରିଥିଲା। ଦଳ ପାଇଁ ଦୀପ୍ତି ଶର୍ମା ୨୪, ଶିକ୍ଷା ପାଣ୍ଡେ ୨୩ ଓ ସିମରନ ଶେଖ ୨୨ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ମାରିଜେନ କାପ ୩ ଉଇକେଟ ନେଇଥିବା ବେଳେ ଚିନେଲ ହେନରୀ ଓ ଶ୍ରୀ ଚରନୀ ଦୁଇ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଦିଲ୍ଲୀ ୧୮.୪ ଓଭରରେ ୫ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଲୌରା ଓ୍ବାଲଭାର୍ଡଟ ୪୭ (୭ ଚୌକା), ଅଧିନାୟିକା ଜେମିମା ଅପରାଜିତ ୩୪ (୫ ଚୌକା) ଓ ଶେଫାଳି ବର୍ମା ୨୯ (୨ ଚୌକା) ରନ କରିଥିଲେ।

