କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ଶନିବାର ପାଳିତ ହୋଇଯାଇଛି। ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ବାହାରି ଜୋରାଡବରା ଧରଣୀ ପୀଠରେ ପୂଜାର୍ଚ୍ଚନା କରିବା ପରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତ କନ୍ଧ ସମାଜ ସଭାପତି ସମରେନ୍ଦ୍ର ସିଂ ମାଝୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ନନ୍ଦି କିଶୋର ମାଝୀ, ଶିବ ଜାନୀ (ବଲାଙ୍ଗୀର),ଶୋଭକର ଜାନୀ, କାଲିଆ ମାଝୀ, ଯୁବ ସଙ୍ଗଠକ ଡମ୍ବରୁ ଧର ମାଝୀ, ତରୁଣ ଜାନୀଙ୍କ ସମେତ ଅନ୍ୟାନ୍ୟ ଗ୍ରାମ କମିଟିର କର୍ମକର୍ତ୍ତା ଯୋଗ ଦେଇ ଆଦିବାସୀ ଦିବସ ପାଳନର ଲକ୍ଷ୍ୟ ଉଦେଶ୍ୟ ତଥା ଆଦିବାସୀଙ୍କ ହକ୍ ଓ ଅଧିକାର ଉପରେ ଆଲୋଚନା କରିଥିଲେ।


