ସରକାରଙ୍କ ଅପାରଗତା ଦେଖିଲା ବିଶ୍ୱ: କଂଗ୍ରେସ

ଭୁବନେଶ୍ୱର, ୧୧।୨(ଅନୁରାଧା ମହାରଣା): ବାରବାଟୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମ୍ୟାଚବେଳେ ଲାଇଟ୍‌ ବନ୍ଦ ହେବା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବାରବାଟୀରେ ଲାଇନ କଟିବା ଓଡ଼ିଆ ଅସ୍ମିତାକୁ ଅଭିଶାପ। ବିଶ୍ୱ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର। ତେଣୁ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ ବୋଲି ତାରା କହିବା ସହ ଏପରି କାହିଁକି ହେଲା ତାହାର ତଦନ୍ତ ଦାବି କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଯେନା କହିଛନ୍ତି, ବାରବାଟୀ ଅବ୍ୟବସ୍ଥା ପରେ ବିଶ୍ୱ ଓଡ଼ିଶା ସରକାରଙ୍କ ଅପାରଗତା ଦେଖିଲା। ମ୍ୟାଚ ଚାଲିଥିବା ବେଳେ ଦୀର୍ଘ ସମୟ ଫ୍ଲଡ ଲାଇଟ୍‌ କଟିଗଲା। ଭାରତରେ କେବେ ଏପରି ଘଟଣା ଘଟି ନ ଥିଲା ବୋଲି ଜୟଦେବ କହିଛନ୍ତି। ବାରବାଟୀ ମ୍ୟାଚ ଦାୟିତ୍ୱ ଓସିଏ ନୁହେଁ, ଭାଜପା ନେଇଥିଲା। ସେଥିପାଇଁ ଟିକେଟ ବିକ୍ରିଠାରୁ ଆରମ୍ଭ କରି ଖେଳ ଯାଏ ବିଭ୍ରାଟ ଘଟିଲା। ଭାଜପା ଓସିଏକୁ ସୀମିତ କରିଦେଲା। ସେଥିପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଲା। ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲା। ସରକାର ଓ କ୍ରୀଡ଼ା ମନ୍ତ୍ରୀଙ୍କ ଅପାରଗତାକୁ ବି ବିଶ୍ୱ ଦେଖିଲା। ଆଗରୁ ବହୁତ ଥର ଖେଳ ହୋଇଛି, ହେଲେ ଏତେ ଅବ୍ୟବସ୍ଥା ଦେଖାଯାଇ ନ ଥିଲା। ଏଥିସହିତ ବାରବାଟୀ ଅବ୍ୟବସ୍ଥାକୁ ନେଇ କ୍ରୀଡ଼ାମନ୍ତ୍ରୀଙ୍କ ବୟାନକୁ ମଧ୍ୟ ଜୟଦେବ ସମାଲୋଚନା କରିଛନ୍ତି। କ୍ରୀଡ଼ାମନ୍ତ୍ରୀଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେମିତି ଗାଁ କ୍ରିକେଟ ମ୍ୟାଚ ହେଉଥିଲା। ସବୁବେଳେ ଭିଆଇପିଙ୍କୁ ପାସ୍‌ ଦିଆଯାଏ। ଏଥିରେ କିଛି ନୂଆ ନାହିଁ। ଗାଁ ମ୍ୟାଚ ପରି ଭାଜପା ଓସିଏର ଦାୟିତ୍ୱ ସୀମିତ କରି ନିଜେ ସବୁ କରିବାକୁ ଚାହିଁବାରୁ ଓଡ଼ିଶାକୁ ବିଶ୍ୱଦରବାରରେ ଲଜ୍ଜିତ ହେବାକୁ ପଡ଼ିଲା ବୋଲି ଜୟଦେବ କହିଛନ୍ତି।