ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬ର ଅନ୍ତିମ ଦିବସରେ ଅନୁଷ୍ଠିତ ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ବିଶ୍ୱର ନମ୍ବର ୧ ଖେଳାଳି ଭାରତର ଶୀତଲ୍ ଦେବୀଙ୍କୁ ୧୩୯-୧୩୬ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିବା ସହ ନୂଆ ଇତିହାସ ରଚିଛନ୍ତି ପାୟଲ। ଶୁକ୍ରବାର ପାୟଲ ଏବଂ ଶୀତଲ୍ ଦେବୀ କମ୍ପାଉଣ୍ଡ ଟିମ୍ ଇଭେଣ୍ଡ ଫାଇନାଲରେ ମିଳିତ ଭାବେ ସ୍ବର୍ଣ୍ଣପଦକ ଜିତିଥିଲେ। ଉଭୟ ହାତ ଏବଂ ଗୋଡ଼ ନ ଥିବା ପାୟଲ ବିଶ୍ୱର ପ୍ରଥମ ପାରା ତୀରନ୍ଦାଜ ଭାବେ ଏହି ସଫଳତା ହାସଲ କରିଥିବାରୁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଯମୁନାବାହାଲ ଗାଁର ଏକ ଗରିବ ପରିବାରରେ ପାୟଲ ନାଗଙ୍କ ଜନ୍ମ। ୨୦୧୫ରେ ମାତ୍ର ୮ବର୍ଷ ବୟସରେ ପାୟଲ ତାଙ୍କ ମା’ ଜନତା ନାଗ ଓ ପିତା ବିଜୟ ନାଗଙ୍କ ସହ ଛତିଶଗଡ଼ ରାଜଧାନୀ ରାୟପୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ନିର୍ମାଣାଧୀନ କୋଠାରେ କାମ କଲାବେଳେ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ପାଲଟି ଯାଇଥିଲେ। ଏହାପରେ ତାଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଥିଲା। ତାଙ୍କୁ ବଲାଙ୍ଗୀରସ୍ଥିତ ପାର୍ବତୀ ଗିରି ବାଲ୍ ନିକେତନକୁ ଆଣି ରଖାଯାଇଥିଲା। ସେଠାରେ ରହଣି ସମୟରେ ପାୟଲଙ୍କ ଭିତରେ ଅଦ୍ଭୁତ ଚିତ୍ରକଳା ପ୍ରତିଭା ରହିଥିବା ଜଣାପଡ଼ିଥିଲା। ପାୟଲଙ୍କ ବିଚକ୍ଷଣ ପ୍ରତିଭା ଦେଖି ତତ୍କାଳୀନ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ତାଙ୍କୁ ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ଜମ୍ମୁ-କଶ୍ମୀରର କଟ୍ରାସ୍ଥିତ ତୀରନ୍ଦାଜୀ ପ୍ରଶିକ୍ଷଣ କେନ୍ଦ୍ରକୁ ପଠାଇଥିଲେ। ସେଠାରୁ ଏକ ଭିନ୍ନ ପାୟଲଙ୍କ ଆବିର୍ଭାବ ହୋଇଥିଲା। କୋଚ୍ ଅଭିଳାଷା ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାୟଲ ବ୍ୟାଙ୍କକ୍ଠାରେ ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ରେ ଭାଗ ନେଇଥିଲେ।