ଦୁର୍ଘଟଣା ମୁହାଁ କେଲୁଅ ନଦୀବନ୍ଧ: ନିର୍ବାଚନ ପରେ ସଠିକ୍‌ ଢଙ୍ଗରେ ହେଉନି ପୂର୍ତ୍ତ ବିଭାଗ କାମ

ଧର୍ମଶାଳା,୨।୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମା ବ୍ରିଜ ଠାରୁ ମିର୍ଜାପୁର ନଦୀବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏ ନେଇ ପ୍ରତ୍ୟେକ ଦିନ ଦୁର୍ଘଟଣା ଦେଖିବାକୁ ମିଳୁଛି। ବାଇକ ଓ ସାଇକେଲ ଆରୋହୀଙ୍କ ସମେତ ଚାରିଚକିଆ ଗାଡ଼ି ଚଳାଚଳରେ ନାନା ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ସକାଳ ହେଲେ ସ୍କୁଲ କଲେଜ ପିଲାମାନେ ଉକ୍ତ ରାସ୍ତା ଦେଇ ଜାରକାକକୁ ଯାଇଥାନ୍ତି। ମିର୍ଜାପୁର, ପାଟପୁର, କୋତପୁର, ଭାବିଲ, ମୁଣ୍ଡମାଳ, ଅରେଇକଣା, ରମାପୁର, କଦମପାଳ, ନୋଷ୍ଟା, ଭଗବାନପୁର ଭଳି ଗାଁର ଲୋକେ ଜାରକା ଅଭିମୁଖେ ଯାତାୟାତ ପାଇଁ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରିଥାନ୍ତି।

ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେଉକ୍ତ ରାସ୍ତା ନିର୍ମାଣ ହୋଇଥିଲା। ନିର୍ବାଚନ ପୂର୍ବରୁ ମଧ୍ୟ ଏହି ରାସ୍ତା ମରାମତି ହୋଇଥିଲ। ମାତ୍ର ରାସ୍ତାରେ ଏବେ ସ୍ଥାନେସ୍ଥାନେ ସୃଷ୍ଟି ହୋଇଥିବା ଖାଲଖମାରୁ ସ୍ପଷ୍ଟ ବାରି ହେଉଛି।

ଏହାର ମରାମତି କାର୍ଯ୍ୟ ସଠିକ ଢଙ୍ଗରେ ହୋଇ ନ ଥିବା ବେଳେ ଏହି ରାସ୍ତାର ସ୍ଥାନୀୟ ଗୋପନଗର, କାଳନ୍ଦୀସାହି, ମିର୍ଜାପୁର ଶନିଗଡା, ଭାବିଲ ଭଳି ଗାଁ ପାଖାପାଖି ସ୍ଥାନ ମାନଙ୍କରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ରାସ୍ତାଟି ୧୬ ନମ୍ବର ଜାତୀୟ ରାଜପଥର ଗୋକନେଶ୍ୱର ଠାରୁ ରମାପୁର ଓ କୃଷ୍ଣଦାସପୁରଠାରେ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରୁଛି। ଫଳରେ ଏହି ରାସ୍ତା ଉପରେ ଦୈନଦିନ ଶହଶହ ଗାଡି ଯାତାୟାତ କରୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।

ଅନ୍ୟପକ୍ଷରେ ନିର୍ବାଚନ ପରେ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟଗୁଡ଼ିକ ସଠିକ ଢଙ୍ଗରେ ହେଉ ନ ଥିବା ମଧ୍ୟ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି। ଏହା ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily