ଲାଞ୍ଜିଗଡ,୧୦।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି । କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ର୍ନିଯ୍ୟାତିତ ହେଉଛି ତ କେତେବେଳେ ନିଖୋଜ ଆଉ ପୁଣି କେତେବେଳେ ଶବ ହୋଇ ଗାଁକୁ ଫେରୁଛନ୍ତି ।ଏଭଳି ଏକ ଘଟଣାକ୍ରମରେ ବ୍ଲକର ଲାଞ୍ଜିଗଡ ଥାନା ଛତ୍ରପୁର ପଞ୍ଚାୟତ ଲେପଟାଗୁଡା ଗ୍ରାମର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ନିଖୋଜ ହୋଇଯାଇଛନ୍ତି । ସେ ହେଲେ ଲେପଟାଗୁଡା ଗ୍ରାମର ଦେବରାଜ ମାଝୀ(୨୮)। ଏହି ଖବର ପାଇବା ପରେ ଭାଇ ସତ୍ୟ ମାଝୀ ଲାଞ୍ଜିଗଡ଼ ଥାନାରେ ବୁଧବାର ଏକ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ ଲେପଟାଗୁଡା ଗ୍ରାମର ଦେବରାଜ ଗତ ୬ ତାରିଖ ଶନିବାର ଦିନ ଅପରାହ୍ନ ୨ ଟା ସମୟରେ ସେହି ଗ୍ରାମର ପୁଲୁ ମାଝୀ ସହିତ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯିବାଲାଗି ମୁନିଗୁଡା ଟ୍ରେନ ଷ୍ଟେଶନରେ ବସିଥିଲେ। ଟ୍ରେନଟି ଭିଡ ରହିଥିବା ବେଳେ ଦୂର ବାଟ ଯିବାକୁ ଥିବାରୁ ନିଜ ନିଜ ସିଟରେ ଶୋଇ ପଡ଼ିଥିଲେ। ଅଧା ବାଟ ଯିବା ପରେ ବିଜୟୱାଡା ଷ୍ଟେସନ ନିକଟରେ ପୁଲୁ ନିଦରୁ ଉଠି ଦେବରାଜ ନିଜ ସିଟରେ ନ ଥିବା ଦେଖିବାକୁ ପାଇଥିଲେ। ସେ କେଉଁ ଷ୍ଟେସନରେ ଓଲ୍ଲାଇ ପଡିଲା ଜାଣି ପାରି ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ଦେବରାଜଙ୍କୁ ପାଇ ନ ଥିଲେ। ଏହା ପରେ ପୁଲୁ ୭ ତାରିଖରେ ଦେବରାଜଙ୍କ ପରିବାର ଲୋକଙ୍କୁ ଜଣାଇବା ପାଇଁ ଫୋନ କରିଥିଲା। କିନ୍ତୁ ଗାଁରେ ମୋବାଇଲ ନେଟୱର୍କ ନ ଥିବା ଯୋଗୁଁ ୧୦ ତାରିଖରେ ଭାଇ ନିଖୋଜ ହୋଇ ଯାଇଥିବା ଖବର ପାଇ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛି ବୋଲି ନିଖୋଜ ଦେବାରାଜଙ୍କ ଭାଇ ସତ୍ୟ ମାଝୀ ପ୍ରକାଶ କରିଛନ୍ତି। ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଭାଇକୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ଲାଞ୍ଜିଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିବା ବେଳେ ଏହାର ତଦନ୍ତ କରିବୁ ବୋଲି ଲାଞ୍ଜିଗ ଥାନାଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି।