କାମ ସରୁନି କି ଲୋକଙ୍କୁ ସେବା ମିଳୁନି:  କାମ ସରିବାର ନାଁ ଧରୁନି

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଦୀର୍ଘ ଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେଶନ କାର୍ଯ୍ୟ ଚାଲିଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ ବିଭାଗ ତାକୁ ଚାର୍ଜ କରିବାରେ ଅହେତୁକ ବିଳମ୍ବ କରୁଛ।
ପ୍ରକାଶ ଯେ, ଦାରିଙ୍ଗବାଡି ଠାରୁ ସିମନବାଡି ୧୧ କେଭି ଫିଡର ରହିଛି। ଏହି ଫିଡ଼ର ଉପରେ ସିମନବାଡି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡା,ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ ଏବଂ ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ ହୋଇଛି ।ତେବେ ଗୋଟିଏ ଫିଡ଼ର ଉପରେ ଏତେଗୁଡିଏ ପଞ୍ଚାୟତ ନିର୍ଭର କରୁଥିବା ବେଳେ ଏହି ୧୧ କେଭି ବିଦ୍ୟୁତ ତାର ପ୍ରାୟ ୫ ଶହ କିମି ଦୂରତା ଟଣାଯାଇଛି। ଫଳରେ ସାମାନ୍ୟ ବର୍ଷା, ପବନ ଆସିଲେ ବିଦ୍ୟୁତ ଅଚଳ ହୋଇପଡୁଛି । ଏହାର ସୁଧାର ପାଇଁ ସିମନବାଡି ଠାରେ ଏକ ସବଷ୍ଟେଶନ ନିର୍ମାଣ କରାଯାଇ ସିମନବାଡି, କିରିକୁଟି ଏବଂ ବୁଡଗୁଡାକୁ ୩ ଫିଡ଼ର ପାଇଁ ଚିନ୍ତା କରାଗଲା । ନିର୍ମାଣ ମଧ୍ୟ କରାଗଲା । କିନ୍ତୁ ଦୀର୍ଘ ଦିନ ହେଲା ଏହି ସବଷ୍ଟେସନ ନିର୍ମାଣ କାର୍ଯ୍ୟ କରାଯାଇ ଆବଶ୍ୟକ ମେଶିନ, ଉଚ୍ଚ କ୍ଷମତା ଟ୍ରାନ୍ସଫର୍ମର ସମେତ ଜଣେ ଅଧିକାରୀ ରହି ପରିଚାଳନା କରିବା ପାଇଁ କାର୍ଯ୍ୟାଳୟ, ସିକ୍ୟୁରିଟି କାର୍ଯ୍ୟାଳୟ ସମେତ ଇଣ୍ଟରନେଟ୍‌ ଆଦି ବ୍ୟବସ୍ଥା କରାଯାଇଥିଲା। ସୁଦ୍ଧା ସବଷ୍ଟେଶନରୁ ଫିଡ଼ର ଗୁଡିକୁ ବିଦ୍ୟୁତ ଯୋଗାଇ ଦିଆଯାଇ ନ ଥିବା ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏ ନେଇ ଠିକା ସଂସ୍ଥାର ପ୍ରକଳ୍ପ ମୁଖ୍ୟ ବିକାଶ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ ଏନେଇ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ପରେ ସେ କହିଥିଲେ, ଚଳିତ ମାସ ଶେଷ ସୁଦ୍ଧା ଚାର୍ଜ କରି  ସମସ୍ତ ଫିଡରରେ ବିଦ୍ୟୁତ୍‌ ଯୋଗାଣ କରାଯିବ କହିଛନ୍ତି।

 

Dharitri – Odisha’s No.1 Odia Daily