ଅବକାରୀ ନୀତିରେ ମହିଳାଙ୍କ ସହଭାଗିତା

ଓଡ଼ିଶାରେ ବହୁଳ ମଦ କାରବାର ହେତୁ ନୂତନ ସରକାରଙ୍କ ଉପରେ ଏକ ମଦ ବିରୋଧୀ ନୀତି ପ୍ରବର୍ତ୍ତନ ପାଇଁ ପ୍ରବଳ ଜନମତ ସୃଷ୍ଟି ହେଉଥିଲା। ଏହାକୁ ନିର୍ଦ୍ଦିଷ୍ଟ ଭାବେ ଦୃଷ୍ଟିରେ ରଖି ନୂତନ ଅବକାରୀ ନୀତି ଆଗତ କରିବାକୁ ସରକାର ଯୋଜନା ରଖିଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶିତ ଖବର ଅନୁଯାୟୀ, ନୂତନ ନୀତି ରାଜ୍ୟର ସାମାଜିକ, ଆର୍ଥିକ ସ୍ଥିତି ତଥା ଜନସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଶା କାରବାରକୁ ଅଧିକ ସୁବ୍ୟବସ୍ଥିତ ଏବଂ ନିୟନ୍ତ୍ରିତ ହେବା ଲକ୍ଷ୍ୟ ରଖିଛି, ଯାହା ପ୍ରତି ତିନି ବର୍ଷରେ ପରିବର୍ତ୍ତନ ହେବ। ନୂତନ ଅବକାରୀ ନୀତିରେ ମଦ ନିଷେଧ ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ ତେବେ ସରକାରୀ ସ୍ତରରେ ଆର୍ଥିକ କଠିନତା ଭଳି ଆହ୍ବାନକୁ ସାମ୍ନା କରିବା ସ୍ପଷ୍ଟ। ଅବକାରୀ ରାଜସ୍ବ ଆଦାୟ ପରିମାଣ ୮,୬୮୦ କୋଟି ଟଙ୍କା ୨୦୨୫ ସୁଦ୍ଧା ପହଞ୍ଚତ୍ବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ରାଜ୍ୟ ରାଜସ୍ବ ଆୟର ଶତକଡା ୧୪.୭ ଭାଗ କୁହାଯାଏ। ୨୦୨୨-୨୩ ବେଳକୁ ରାଜସ୍ବ ଆଦାୟ ୬,୪୫୫ କୋଟିରେ ପହଞ୍ଚିଥିଲା। ବର୍ତ୍ତମାନ ରାଜସ୍ବ ବୃଦ୍ଧି ଆଶାତୀତ ହେଉଥିବା ସରକାରୀ ସ୍ତରରେ ଖୁସିର ବିଷୟ ହୋଇଥିବା ବେଳେ ସାମାଜିକ ସ୍ତରରେ ବର୍ତ୍ତମାନ ଆବାଳ ବୃଦ୍ଧବନିତାଙ୍କୁ ମଦ ଗ୍ରାସ କରିବା ପରିତାପର ବିଷୟ। ଏପରି ସ୍ଥିତିରେ ମଦ ନିୟନ୍ତ୍ରଣ କ୍ଷମତା ‘ମିଶନ ଶକ୍ତି’ ମହିଳାମାନଙ୍କୁ ହସ୍ତାନ୍ତର କରି ଗୃହଲକ୍ଷ୍ମୀମାନଙ୍କୁ ସରକାର ଅଧିକ ବିଶ୍ୱାସକୁ ଯଦି ନିଅନ୍ତେ ତେବେ ନିଜ ଘରେ ଥିବା ମଦ୍ୟପ ପୁରୁଷଙ୍କୁ ନିୟନ୍ତ୍ରଣ କରିବା ସହ ଗାଁ ଗହଳିରେ ଅତ୍ୟଧିକ ମଦ୍ୟପ ସୃଷ୍ଟି ଉପରେ ଅବଶ୍ୟ ଅଙ୍କୁଶ ଲାଗିପାରନ୍ତା। ମିଶନ ଶକ୍ତି ସ୍ବୟଂ ସହାୟିକା ମହିଳାମାନେ ନିଜର ଅର୍ଥ ଉପାର୍ଜନ କ୍ଷମତା ବୃଦ୍ଧିରେ ବିଶେଷ ସକ୍ଷମ ହୋଇ ବିଗତ ଦିନଗୁଡ଼ିକରେ ନିଜର ଦକ୍ଷତା ପ୍ରମାଣିତ କରିପାରିଛନ୍ତି। ଭାରତବର୍ଷରେ ଓଡ଼ିଶା ଏପରି ଅନନ୍ୟ ରାଜ୍ୟ, ଯେଉଁଠାରେ ନାରୀ ସମାଜକୁ ମିଶନ ଶକ୍ତି ମାଧ୍ୟମରେ ସରକାର ରୂପାନ୍ତରିତ କରି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଯେକୌଣସି ସ୍ବୀକୃତିପ୍ରାପ୍ତ ମଦ ଦୋକାନ ପାଖରେ ପ୍ରବଳ ଭିଡ଼ ହେବା ସହିତ ପାରିପାର୍ଶ୍ୱିକ ଅବସ୍ଥା ମଦ୍ୟପଙ୍କ ଦ୍ୱାରା କଳୁଷିତ ହୋଇଉଠୁଛି। କୋଭିଡ୍‌ ମଦ ବନ୍ଦ ପରବର୍ତ୍ତୀ ଅବସ୍ଥାରେ ମଦ ଦୋକାନ ଖୋଲିବା କ୍ଷଣି ମାଇଲ ମାଇଲ ଲମ୍ବା ଲାଇନରେ ଠିଆ ହୋଇ ଜନସାଧାରଣ ମଦ ସଂଗ୍ରହ କରିବା, ମଦ ପ୍ରତି ଅହେତୁକ ଦୁର୍ବଳତା ପ୍ରତିପାଦିତ କରିବା କୌତୂହଳର କାରଣ ନିଶ୍ଚୟ। ସାମାଜିକ କର୍ମୀ ତଥା ବୟସ୍କ ଗୋଷ୍ଠୀ ମଦ ନିଷେଧ କରିବାକୁ ଦାବି କରିବା ପଛରେ ଅନେକ କାରଣ ରହିଛି। କୌଣସି ପାର୍କ କିମ୍ବା ମନୋରଞ୍ଜନ ସ୍ଥଳରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା ଦେଖାଯାଏ କିମ୍ବା ଖାଲି ମଦ ବୋତଲ ଗଡୁଥିବା ଦୃଶ୍ୟ ହୁଏ। ଏପରି ସ୍ଥଳକୁ ପରିବାର ସହିତ ଭ୍ରମଣ ଅସମ୍ଭବ ହୋଇଥାଏ। ସ୍କୁଲ କଲେଜ ଛାତ୍ରୀଛାତ୍ରମାନେ ଏହାର କବଳିତ। ଶିକ୍ଷାନୁଷ୍ଠାନ ନିକଟ ପରିଧିରେ ମଦ ବିକ୍ରି ହେବା ଦ୍ୱାରା ଛାତ୍ରୀଛାତ୍ର ନିଶାସକ୍ତ ହୋଇ ଅନୁଷ୍ଠାନର ପବିତ୍ରତାକୁ କଳୁଷିତ କରିବା ସହ ନିଜ ଭବିଷ୍ୟତ ନଷ୍ଟ କରୁଛନ୍ତି। ଅନେକ ଲୁକ୍କାୟିତ କାରଣ ଯୋଗୁ ଆଜି ଓଡ଼ିଶାର ଗଳିକନ୍ଦିରେ ମାଦକ ଦ୍ରବ୍ୟ ସହଜେ ଉପଲବ୍ଧ, ଯଦ୍ଦ୍ବାରା ଛାତ୍ର ଓ ଯୁବଗୋଷ୍ଠୀ ପଥଭ୍ରଷ୍ଟ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ଅନୁଯାୟୀ ଓଡ଼ିଶାରେ ୧୫ ବର୍ଷରୁ ଅଧିକ ମହିଳାଙ୍କ ସଂଖ୍ୟା ମଦ୍ୟପ ଭାବେ ବୃଦ୍ଧି ପାଇବାରେ ଲାଗିଛନ୍ତି। ଗ୍ରାମାଞ୍ଚଳର ୧୫ ବର୍ଷରୁ ଅଧିକ ବୟସ ପୁରୁଷ ଓ ମହିଳା ସହରାଞ୍ଚଳ ଅପେକ୍ଷା ଅଧିକ ମଦ୍ୟପାନରେ ଲିପ୍ତ। ସେହିପରି ଶତକଡ଼ା ୩୦.୨ ପ୍ରତିଶତ ଗ୍ରାମାଞ୍ଚଳର ପୁରୁଷ ମଦ୍ୟପାନ କରୁଥିବା ବେଳେ ସହରାଞ୍ଚଳରେ ଏହା ୨୨.୭ ପ୍ରତିଶତରେ ସୀମିତ। ଦେଖାଯାଏ, କୌଣସି ବିବାହ ବା ମାଙ୍ଗଳିକ କାର୍ଯ୍ୟକ୍ରମରେ ମଦ ପରିବେଷଣ ଯୁବ ଗୋଷ୍ଠୀଙ୍କ ନିମନ୍ତେ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ମଦ୍ୟପାନ ଯେପରି ଏକ ଆଭିଜାତ୍ୟତନ୍ତ୍ରର ପରିଚୟ ଭାବେ ଏକ ଛଦ୍ମ ଭ୍ରମ ଜାଲ ସୃଷ୍ଟି କରିଛି।
୧୯୯୨ ମସିହା କଟକ ଲୋମହର୍ଷଣକାରୀ ୨୦୦ରୁ ଅଧିକ ମଦ ମୃତ୍ୟୁ ତତ୍କାଳୀନ ଜନତା ଦଳ ସରକାରକୁ ଦୋହଲାଇ ଦେଇଥିଲା। ପରେ ୨୦୦୬ ଓ ୨୦୦୯ ମସିହାରେ ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲାରେ ପୁନଶ୍ଚ ଅନୁରୂପ ଅଘଟଣ ସାମ୍ନାକୁ ଆସିଥିଲା, ଯେଉଁଥିରେ ଯଥାକ୍ରମେ ୨୬ ଓ ୩୦ ଜଣ ପ୍ରାଣ ହରାଇଥିଲେ। ଏବେ ବି ବଡ଼ ଆକାର ନ ହେଲେ ମଧ୍ୟ ମଦମୃତ୍ୟୁ ଖବର ସ୍ଥାୟୀ ଅନ୍ତରରେ ଖବରକାଗଜ ପୃଷ୍ଠାରେ ଦେଖିବାକୁ ମିଳେ। ମଦ ଯେ ବିଭିନ୍ନ ପ୍ରକାର ହିଂସା ଓ ଅପରାଧର କାରଣ ତାହା ପ୍ରମାଣିତ। ବିଜ୍ଞାନ କହେ ଅତ୍ୟଧିକ ମଦ୍ୟପାନ ଦ୍ୱାରା ନିରପେକ୍ଷତା, ଭଲ ମନ୍ଦ ବିଚାର କ୍ଷମତା ହ୍ରାସ ସହିତ ଉଗ୍ରତା ମଣିଷ ଶରୀରରେ ବୃଦ୍ଧିପାଏ। ଏହା ଦ୍ୱାରା ସାମୟିକ ଅନ୍ଧ ପାଲଟି ସାଧାରଣ ମଣିଷ ବିଭିନ୍ନ ଅପରାଧ କରିବା ଯୋଗୁ ଆଜି ଓଡ଼ିଶା ସମେତ ଦେଶରେ ଅପରାଧ ସୂଚକାଙ୍କ ବୃଦ୍ଧି ପାଉଛି।
ନୂତନ ସରକାରଙ୍କ ପାଇଁ ମଦ ନିଷେଧାଜ୍ଞା ଆଦେଶ ହିମାଳୟ ସଦୃଶ ବାଟ ଓଗାଳୁଛି ନିଶ୍ଚିତ। ଏହାର କାରଣ ହେଲା ପ୍ରାୟ ୯୦୦୦ କୋଟି ଟଙ୍କାର ରାଜସ୍ବ ଆଦାୟ। ଏତେ ବଡ଼ ପରିମାଣ ଅନାଦାୟ ହେଲେ ସରକାର ବିକାଶମୁଖୀ କାର୍ଯ୍ୟ ସମ୍ପାଦନ କରିବେ କିପରି! ବିତ୍ତ ଅଧିକାରୀମାନଙ୍କ ମୁଣ୍ଡବିନ୍ଧା କାରଣ ନିଶ୍ଚୟ ହେବ। ହେଲେ, ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାରଙ୍କ ଦାୟିତ୍ୱ ହେଲା ଜନସାଧାରଣଙ୍କ କୁଶଳ ଓ ନିରାମୟ ଜୀବନଯାପନ ସହିତ ଏକ ଭୟ ମୁକ୍ତ, ସ୍ବାଚ୍ଛନ୍ଦ୍ୟ ଭରା ସମାଜ ଗଠନ। ନାଗରିକ ସୁସ୍ଥ ଓ ସ୍ବଚ୍ଛ ପରିବେଶରେ ରହିଲେ ଦେଶର ଜିଡିପି ବୃଦ୍ଧିରେ ସହାୟକ ହୋଇପାରିବ, କିନ୍ତୁ ରୁଗ୍ଣ ହେଲେ ନୁହେଁ। ବିହାର ସରକାର ୨୦୧୫-୧୬ ଆର୍ଥିକ ବର୍ଷରେ ୩,୧୪୬ କୋଟି ମଦ ରାଜସ୍ବ ପାଉଥିବା ବେଳେ ୨୦୧୬ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ମଦ ବନ୍ଦ ଘୋଷଣା କରିଥିଲେ। ଫଳରେ ୨୦୧୬-୧୭ରେ ତାହା ୨୯ କୋଟିକୁ ଖସି ଆସିଥିଲା। ତଥାପି ସରକାର ଜନତାଙ୍କ ପ୍ରତି ପ୍ରତିବଦ୍ଧତା ଦେଖାଇ ନିଜ ନିଷେଧାଜ୍ଞା କାଏମ ରଖିଛନ୍ତି।
ମହିଳାମାନଙ୍କୁ ଦାୟିତ୍ୱ ଦେବା ସରକାର ଚିନ୍ତା କରିପାରନ୍ତି। ନିର୍ଦ୍ଦିଷ୍ଟ କେଉଁ ବର୍ଗର ଲୋକଙ୍କୁ ମଦ୍ୟ ଯୋଗାଇ ଦିଆଯିବା ଉଚିତ ନିର୍ଦ୍ଧାରଣ କରିବାକୁ ହେବ। ୨୧ ବର୍ଷରୁ କମ୍‌ ବୟସ୍କଙ୍କୁ ମଦ ନିହାତି ପକ୍ଷେ ନିଷେଧ କରିବା ସହିତ ସେମାନଙ୍କ ପାଇଁ ନିଶା ସେବନ ଧର୍ତ୍ତବ୍ୟ ଅପରାଧ ଆଖ୍ୟା ଦିଆଯିବା ବିଧେୟ। ମଦ ସମ୍ପୂର୍ଣ୍ଣ ବାରଣ କରିବା ବୋଧେ ସରକାରୀ ଭାବେ ସମ୍ଭବ ନୁହେଁ,କିନ୍ତୁ ମଦ୍ୟପଙ୍କୁ ନିରୁତ୍ସାହିତ କରିବା ପାଇଁ ସଶକ୍ତ ଦଣ୍ଡ ବିଧାନ ସହିତ ଆକାଶଛୁଆଁ ଟିକସ ଦେଲେ ହୁଏତ ଆର୍ଥିକ ଦୁର୍ବଳ ଗୋଷ୍ଠୀ ଏଥିରୁ ବିରତ ହୋଇପାରନ୍ତି। ଗୃହଲକ୍ଷ୍ମୀ ଓ ମହିଳାଙ୍କ ପାଖରେ ‘ପେଟେଣ୍ଟ ମେଡିସିନ’ ଉପଲବ୍ଧ, ଯେଉଁଥିପାଇଁ କୌଣସି ସ୍ବାମୀ ମାତାଲ ଅବସ୍ଥାରେ ନିଜ ସ୍ତ୍ରୀ ସାମ୍ନାକୁ ଯିବାକୁ ଭୟ କରନ୍ତି। ମିଶନ ଶକ୍ତି ମହିଳାଙ୍କୁ ମଦ୍ୟ ନିୟନ୍ତ୍ରଣ ସହିତ ସୁବ୍ୟବସ୍ଥିତ ପଦ୍ଧତି ମାଧ୍ୟମରେ ବଣ୍ଟନ କାର୍ଡ ଦ୍ୱାରା ଅନ୍‌ଲାଇନ ହିସାବ ରଖି ନିୟନ୍ତ୍ରିତ ଆକାରରେ ମଦ୍ୟ ବିକ୍ରି କରାଗଲେ ଉଦ୍ଦେଶ୍ୟ ଚରିତାର୍ଥ ହେବ। ମହିଳା ସାଧାରଣତଃ ଘରୋଇ ହିଂସାର ଶିକାର ହୋଇ ବିବାହ ବିଚ୍ଛେଦ ଓ ନିର୍ଯାତନାର ସର୍ବାଧିକ ଅଭିଜ୍ଞ, ତେଣୁ ସେମାନଙ୍କ ଏପରି ମହତ କାର୍ଯ୍ୟରେ ନିୟୋଜନ ମଦ ବିକ୍ରି ନିୟନ୍ତ୍ରଣରେ ସୁଧାର ନିଶ୍ଚିତ ଆଣିପାରିବ। ନାରୀଶକ୍ତି ପରିଶ୍ରମ କରିବା ବେଳେ ଛତୁଫୁଟିଲା ଭଳି ମଦ ଦୋକାନ ଖୋଲିବା ଉପରେ ଅଙ୍କୁଶ ଲାଗିବା ସହିତ ପରିଚୟ ଓ ବୟସ ପ୍ରମାଣପତ୍ର ଦେଖାଇ ମଦ ବିକ୍ରୟ କରିବା ଭଳି ଆଇନ ଜରୁରୀ। ମିଶନ ଶକ୍ତି ଉଦ୍ୟମ, ଅବକାରୀ ଓ ପୋଲିସ ବିଭାଗଙ୍କ ମିଳିତ ତ୍ୱରିତ ଓ ବିହିତ କଠୋର କାର୍ଯ୍ୟାନୁଷ୍ଠାନ ନିହାତି ସମୟୋପଯୋଗୀ।

ଡ. ମାନସ ରଞ୍ଜନ ଶତପଥୀ
ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ-୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?