ମଦ ବିକ୍ରି ବନ୍ଦ ଦାବିରେ ଏକଜୁଟ ହେଲେ ମହିଳା, ଅବକାରୀ ବିଭାଗର ସହଯୋଗ ଲୋଡ଼ିଲେ

ଅମରପାଲି,୨୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ମହିଳାମାନେ ଏକଜୁଟ ହୋଇଛନ୍ତି । ଏନେଇ ସୋମବାର ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବୈଠକରେ ମହିଳାମାନେ ସଂକଳ୍ପ ନେଇଛନ୍ତି। ମହିଳାମାନଙ୍କ କହିବାନୁଯାୟୀ, ଆଖପାଖ ଅମରପାଲି, ଗୌଡ଼ଗାଡ଼, ମାଳିଦାଦର, କେନ୍ଦୁପାଲି ଓ ଦୁର୍ଜନତୈଲା ଆଦି ଗ୍ରାମରେ ମଦ ବିକ୍ରି ବନ୍ଦ ରହିଛି। ହେଲେ ଗୁଦଗୁଦା ଗ୍ରାମରେ କେତେଜଣ ବ୍ୟକ୍ତି ମଦ ବିକ୍ରି କରୁଥିବାରୁ ଏହାର ପ୍ରଭାବରେ ଗ୍ରାମରେ ଅଶାନ୍ତି ସୃଷ୍ଟି ହେଉଛି। ମଦ୍ୟପମାନେ ବିଭିନ୍ନ ସ୍ଥାନରେ ଆଡ଼ା ଜମାଇବା ସହ ଅନେକ ସମୟରେ ଗଣ୍ଡଗୋଳ ଓ ଗାଳିଗୁଲଜ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ଏପରିକି ବିଦ୍ୟାଳୟ ପରିସରରେ ମଦ୍ୟପାନ କରିବା ପରେ ବୋତଲ, ପାଉଚ୍‌ ଓ ଚାଖଣା ଆଦି ପକାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ବିଦ୍ୟାଳୟର ପରିବେଶ ପ୍ରଭାବିତ ହେବା ସହ ଛାତ୍ରୀଛାତ୍ରଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଥିବା ମହିଳାମାନେ କହିଛନ୍ତି। ମଦ୍ୟପମାନଙ୍କ ଯୋଗୁଁ ଗ୍ରାମର ମହିଳାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।ଗ୍ରାମରେ ମଦ ବିକ୍ରି ବନ୍ଦ ନେଇ ପୂର୍ବରୁ ଗ୍ରାମସଭାରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ କେତେଜଣ ଏହାକୁ ଅବମାନନା କରି ମଦ ବିକ୍ରି ଜାରି ରଖିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇଛନ୍ତି।

ଗ୍ରାମର ମା’ ପଞ୍ଚଖଣ୍ଡା, ମା’ ସରସ୍ୱତୀ, ମା’ ପିତବଳି ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବିଭିନ୍ନ ଗୋଷ୍ଠୀର ମହିଳାମାନେ ଗ୍ରାମର ସମସ୍ତ ମହିଳାଙ୍କୁ ଏକଜୁଟ କରି ମଦ ବିରୋଧୀ ଅଭିଯାନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ପଡ଼ୋଶୀ ଅମରପାଲି ଓ ଗୌଡ଼ଗାଡ଼ ଗ୍ରାମର ଗ୍ରାମ୍ୟ ପରିଚାଳନା କମିଟିକୁ ଲିଖିତ ଭାବେ ଜଣାଇ ଏହି ପଦକ୍ଷେପରେ ସହଯୋଗ ଲୋଡ଼ିଛନ୍ତି।

ୱାର୍ଡ ସଭ୍ୟା ମାମିନା ରାଏ କହିଛନ୍ତି, “ଆଖପାଖ ଗ୍ରାମଗୁଡ଼ିକରେ ମଦ ବିକ୍ରି ବନ୍ଦ ରହିଛି। ଆମ ଗ୍ରାମରେ ମଧ୍ୟ ମଦ ବିକ୍ରି ବନ୍ଦ ପାଇଁ ପୂର୍ବରୁ ସଭା କରାଯାଇଥିଲା। ସମସ୍ତେ ରାଜି ହୋଇଥିଲେ ମଧ୍ୟ କେତେଜଣ ଏବେ ବି ମଦ ବିକ୍ରି କରୁଛନ୍ତି। ଏହାଦ୍ୱାରା ଗ୍ରାମରେ ଅଶାନ୍ତି ସୃଷ୍ଟି ହେଉଛି। ତେଣୁ ମହିଳାମାନେ ଏକାଠି ହୋଇ ମଦ ବିକ୍ରି ବନ୍ଦ ପାଇଁ ନିଷ୍ପତ୍ତି ନେଇଛୁ।” ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧୀକ୍ଷକ ପ୍ରବୀର ସାମଲଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା। ତେବେ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଗ୍ରାମର ମହିଳାମାନଙ୍କ ଏହି ଅଭିଯାନରେ ସାମିଲ ହୋଇ ଗୁଦଗୁଦା ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ସହିତ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

 

Dharitri – Odisha’s No.1 Odia Daily