ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଲକ୍ଷ୍ମୀଙ୍କ ଆଧାର କାର୍ଡ, ଭୋଟର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଥିବା ସତ୍ତ୍ୱେ ତାଙ୍କର ରାଶନ କାର୍ଡ ନାହିଁ। ବାର୍ଦ୍ଧକ୍ୟ ଓ ଅବିବାହିତ ଭତ୍ତାରୁ ସେ ବଞ୍ଚିତ ରହିଛନ୍ତି। ଅନ୍ୟ ଘରେ ବାସନ ମାଜି ଜୀବନ ଅତିବାହିତ କରୁଥିବା ସେ କହିଛନ୍ତି। ରାଶନ କାର୍ଡ, ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ୱେ କେହି କର୍ଣ୍ଣପାତ କରୁ ନ ଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ଲକ୍ଷ୍ମୀ ଅବିବାହିତ ଥିବାବେଳେ ମା’ବାପାଙ୍କ ମୃତ୍ୟୁ ହୋଇଯାଇଛି। ସେ କୁଲି ମଜୁରି, ଲୋକଙ୍କ ଘରେ ବାସନ ମାଜି ଗୁଜୁରାଣ ମେଣ୍ଟାନ୍ତି। ସରକାରୀ ଯୋଜନା, ରାଶନ କାର୍ଡ, ଭତ୍ତା ଆଦି ସମ୍ପର୍କରେ ସେ ଅନଭିଜ୍ଞ। ପ୍ରତି ନିର୍ବାଚନରେ ସେ ଭୋଟ ଦେଉଥିବା କହିଛନ୍ତି। ଅନେକଥର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ରାଶନ କାର୍ଡ ଓ ଭତ୍ତା ଆବେଦନ କରି ନିରାଶ ହୋଇଛନ୍ତି। ନନ୍ଦପୁର ବ୍ଲକ, କୋରାପୁଟ ଜିଲା ପ୍ରଶାସନ ସମେତ ଯୋଗାଣ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗ କର୍ତ୍ତୃପକ୍ଷ ତାଙ୍କ ସମସ୍ୟା ବୁଝି ରାଶନ କାର୍ଡ ଓ ଭତ୍ତା ସହ ଚାଉଳ ମିଳିବାରେ ସହାୟକ ହେବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ଜିପିଡିଓ ଦେବେନ୍ଦ୍ର ମାଝୀ, ଯୋଗାଣ ନିରୀକ୍ଷକ ଓ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନାଗରାଜୁ ଆଚାରୀଙ୍କୁ ପଚାରିବାରୁ ପଞ୍ଚାୟତ ପିଇଓଙ୍କ ଦ୍ୱାରା ଲକ୍ଷ୍ମୀଙ୍କ ସମସ୍ତ କାଗଜପତ୍ର ସଂଗ୍ରହ କରି ରାଶନ କାର୍ଡ ଓ ଭତ୍ତା ଆବେଦନ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ସୂଚନା ଦେଇଛନ୍ତି।