ରାଜ୍ୟରେ ଅସୁରକ୍ଷିତ ମହିଳା, ଏହି ଜିଲାରେ ବଳାତ୍କାର ପରେ ବିଷ ପିଆଇ ଯୁବତୀଙ୍କୁ ହତ୍ୟା!

ନବରଙ୍ଗପୁର,୩।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ପାଖ ପଡ଼ିଆରୁ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀଙ୍କୁ ବଳାତ୍କାର ପରେ ବିଷ ପିଆଇ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଓ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଗତକାଲି ଯୁବତୀ ଜଣକ ଶୌଚ ପାଇଁ ଘର ନିକଟସ୍ଥ ପଡ଼ିଆକୁ ଯାଇଥିଲେ। କିନ୍ତୁ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ପଡ଼ିଆରୁ ମିଳିଥିଲା। ମୃତଦେହର ଅବସ୍ଥା ଦେଖି ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଯୁବତୀଙ୍କୁ ପ୍ରଥମେ ବଳାତ୍କାର କରାଯାଇଛି ଏବଂ ପରେ ବିଷ ପିଆଇ ତାଙ୍କୁ ହତ୍ୟା କରାଯାଇଛି।

କୋଷାଗୁମୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଘଟଣାଟି ଅତ୍ୟନ୍ତ ନିଷ୍ଠୁର ଓ ସୁଚିନ୍ତିତ ଢଙ୍ଗରେ ଘଟାଯାଇଛି। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଅଧିକାରୀ ଜଣେ ସୂଚନା ଦେଇଛନ୍ତି।

Share