ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଅବକାରୀ ପ୍ରତିନିଧି ମଧୁସୂଦନ ମହାନ୍ତଙ୍କ ନେତୃତ୍ୱରେ ବେଆଇନ ଅପମିଶ୍ରିତ ମହୁଲି ମଦ ବିକ୍ରି ବନ୍ଦ ଦାବିରେ ଗୁରୁବାର ପାଟଣା ବ୍ଲକ ବାଦୁଡିଘେରାସ୍ଥିତ ଅବକାରୀ ଥାନା ଘେରାଉ କରିବା ସହ ମଦ ବନ୍ଦ ପାଇଁ ଅବକାରୀ ଅଧିକାରୀ ପଦ୍ମାବତୀ ମୁର୍ମୁଙ୍କୁ ଦାବିପତ୍ର ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ବଡ଼ ପାଟଣା, ଟାଙ୍ଗରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଆଇନ ଦେଶୀ ମହୁଲି ମଦ ବିକ୍ରି ହେଉଥିବାରୁ ଏହି ମଦ ପାନ କରି ଲୋକଙ୍କ ଆର୍ଥିକ ସାମାଜିକ ଅବସ୍ଥା ସଙ୍କଟାପନ୍ନ ହେଉଛି। ଖୁବଶୀଘ୍ର ଉକ୍ତ ଗ୍ରାମଗୁଡ଼ିକରେ ବେଆଇନ ମହୁଲି ମଦ ବିକ୍ରି ଉପରେ ପ୍ରଶାସନ ପକ୍ଷରୁ ବନ୍ଦ ନ କଲେ ଆଗାମୀ ଦିନରେ ମଦ ବନ୍ଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମହିଳାମାନେ ଅବକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି। ୭ଦିନ ମଧ୍ୟରେ ସମସ୍ତ ବେଆଇନ ମଦ ବ୍ୟବସାୟ ବନ୍ଦ କରିବାକୁ ଅବକାରୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।