ବାଙ୍କୀ,୧।୧୨(ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ବାଙ୍କୀରେ ସୋମବାର ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଟକ ଜିଲାପାଳଙ୍କ ଉପସ୍ଥିତିରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣକ ଦେହରେ ପେଟ୍ରୋଲ ଢାଳିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ବାଙ୍କୀ ବୈଦେଶ୍ୱର ପଞ୍ଚାୟତ ରଙ୍ଗଣୀ ସାହିର ମୃତ ବନମାଳୀ ଖଟୁଆଙ୍କ ସ୍ତ୍ରୀ ସସ୍ମିତା ମାଝୀ। ସସ୍ମିତା ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ମଙ୍ଗଳ ଯୋଜନାରେ ସରକାରୀ ଅର୍ଥ ୨୦ ହଜାର ଟଙ୍କା ପ୍ରାପ୍ୟ ପାଇବା ପାଇଁ ବିଭାଗୀୟ ଅଧିକାରୀ, ତହସିଲଦାର, ସ୍ଥାନୀୟ ଆରଆଇ, ବିଡ଼ିଓ ଏବଂ ଉପଜିଲାପାଳଙ୍କୁ ଜଣାଇଥିଲେ । ଏପରିକି ଜିଲାପାଳଙ୍କୁ ଦୁଇ ଥର ଅଭିଯୋଗ କରିଥିଲେ।
ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସୋମବାର ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ସେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସସ୍ମିତା ଦେହରେ ପେଟ୍ରୋଲ ଢାଳିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା।
ଅନ୍ୟପକ୍ଷେ ଜିଲାପାଳ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରିବାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏପରିକି ଜିଲାପାଳଙ୍କ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ସସ୍ମିତା ଘରକୁ ଫେରିଛନ୍ତି।
Dharitri – Odisha’s No.1 Odia Daily