ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଗୋବିନ୍ଦ ଭୋଇ(୬୧)ଙ୍କ ସ୍ତ୍ରୀ ରୁକ୍ମିଣୀ ଭୋଇ(୫୫)। ଖବର ପାଇ ବ୍ରଜରାଜନଗର ଏସ୍ଡ଼ିପିଓ ଚିନ୍ତାମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l
ଉକ୍ତ ପଡ଼ାର ଗୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଉକ୍ତ ଘରେ ରହୁଥିଲେ l ହେଲେ ୪ଦିନ ହେଲା ଘର ଭିତର ପଟୁ କବାଟ ବନ୍ଦ ରହିଥିଲା l ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ରୁକ୍ମିଣୀଙ୍କ ଭଉଣୀ ଆସି ବାହାରପଟୁ କବାଟ ବାଡେଇଥିଲେ। ଗୋବିନ୍ଦ ଭିତର ପଟୁ ଆସି କବାଟ ଖୋଲିଥିଲେ।
ସେ ଘରକୁ ଯାଇ ଦେଖିଲା ବେଳକୁ ଭଉଣୀର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ l ପୋଲିସ ପହଞ୍ଚିବା ଦେଖି ଗୋବିନ୍ଦ ଚେତାଶୁନ୍ୟ ହୋଇ ପଡିଥିଲେ। ପୋଲିସ ତୁରନ୍ତ ଗୋବିନ୍ଦଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଥିଲା। ଅନ୍ୟପକ୍ଷେ ରୁକ୍ମିଣୀଙ୍କ ୩ ଦିନ ତଳେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ଅନୁମାନ କରାଯାଉଛି। ପୋଲିସ ମୃତଦେହ ଜବତ କରିଛି। ଅନ୍ୟପକ୍ଷେ ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସ ଘଟଣାର ସଠିକ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସୂଚନା ଯୋଗ୍ୟ, ଗୋବିନ୍ଦ ଜଣେ ଅବସର ପ୍ରାପ୍ତ ଏମ୍ସିଏଲ କର୍ମଚାରୀ।