ଅତାବିରା,୨୯।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ଗୁରୁବାର ମଧ୍ୟାହ୍ନରେ ୨ ଜଣ ମହିଳାଙ୍କ ଜୀବନ ଯାଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି, ବଜ୍ରପାତ ଝଡ଼ ବତାସ ଲାଗି ରହିଛି l ଏଥିଯୋଗୁ ଧାନ ଫସଲ ନଷ୍ଟ ହୋଇ ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇ ସାରିଛନ୍ତି l ତେବେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି l ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡି ଗ୍ରାମର ସ୍ବର୍ଗତ ରାଜେନ୍ଦ୍ର ଛତ୍ରିଆଙ୍କ ପତ୍ନୀ ୪୮ ବର୍ଷୀୟ ଶାନ୍ତି ଛତ୍ରିଆ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇ କାଠ ଝାଟି ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ l ତାଙ୍କ ଛାତିରେ ବଜ୍ରପାତ ବାଜିଛି l
ସେହିପରି ଅତାବିରା ଥାନା ଟୋପ ଗ୍ରାମର ୩୬ ବର୍ଷୀୟ ଯଶୋଦା ମଲ୍ଲିକ କ୍ଷେତରେ ଦିନ ମଜୁରିଆ ଭାବେ କାମ କରୁଥିବା ତାଙ୍କ ସ୍ବାମୀ ଗଣନାଥ ମଲ୍ଲିକଙ୍କ ପାଖକୁ ଭାତ ଖାଦ୍ୟ ନେଇ ଦେଉଥିବା ବେଳେ ବିଲରେ ବଜ୍ରପାତ ଘଟି ଜୀବନ ହାରିଥିଲେ l ଯଶୋଦାଙ୍କ ଗୋଡ଼ରେ ବଜ୍ରପାତ ଲାଗି ଗୋଡ଼ ଜଳି ଯାଇଥିବା ଦେଖିବାକୁ ମିଳିଛି l ଉଭୟଙ୍କୁ ଅତାବିରା ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ଏ ସତିଶ କୁମାର ମୃତ ଘୋଷଣା କରିଛନ୍ତି l
ଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ନିର୍ଦ୍ଦେଶରେ ପୋଲିସ ଉଭୟ ଶବକୁ ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ଶାନ୍ତି ଛତ୍ରିଆଙ୍କ ମୃତ୍ୟୁ ମାମଲାକୁ ନେଇ ୧୧/୨୦୨୫ ଏବଂ ଯଶୋଦା ମଲ୍ଲିକଙ୍କ ମୃତ୍ୟୁରେ ୧୦/୨୦୨୫ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l


