ପଟ୍ଟାମୁଣ୍ଡାଇ,୩୧ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ଏଲ୍ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍ କ୍ୟାବିନ୍ରୁ ରବିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା ରାଉତ ବୋଲି ଜଣାଯାଇଛି। ତାଙ୍କ ବାପଘର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବୋଧଗାଁ। ସେ ଗତ ୨୭ ତାରିଖରୁ ନିଖୋଜ ଥିଲେ। ଏ ନେଇ ତାଙ୍କ ବାପଘର ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା ପଟ୍ଟାମୁଣ୍ଡାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ମୃତକଙ୍କ ବାପଘର ଲୋକେ କହିବାନୁଯାୟୀ ମୃତକ ମହିଳା ବନିତା ତାଙ୍କର ଶାଶୁଘର ଆଳି ବ୍ଲକ ନରେନ୍ଦ୍ରପୁର ଅଞ୍ଚଳର ଗତ ୧୩ ବର୍ଷ ତଳେ ବିବାହ କରିଥିଲେ। ହେଲେ ତାଙ୍କ ସ୍ବାମୀ ବିଦେଶରେ ରହୁଥିଲେ। ଗତ ୨୭ ତାରିଖରୁ ସେ କୁଆଡ଼େ ପଳେଇଯାଇଛନ୍ତି ବୋଲି ତାଙ୍କ ଝିଆରୀ ଜଣାଇଥିଲେ। ବାପଘର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ଶ୍ୱଶୁର ଘର ବିରୋଧରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଏଲ୍ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍ ରହିଛି। ମୃତଦେହ ଜବତ ହୋଇଥିବା ୩୧ନଂ କ୍ୟାବିନ୍ ପୌରପରିଷଦ ପକ୍ଷରୁ ବେଲତଳ ଅମୂଲ୍ୟ ନାୟକଙ୍କ ନାମରେ ଆଲର୍ଟ ହୋଇଥିଲା ମାତ୍ର ଅମୂଲ୍ୟ ଏହି କ୍ୟାବିନ୍କୁ ଯାଜପୁର ଜିଲା ବରି ଅଞ୍ଚଳର ସନ୍ତୋଷ ଓରଫ ବାଇଆକୁ ଭଡ଼ା ସୂତ୍ରରେ ଦେଇଥିଲେ। ବାଇଆ ସେଠାରେ ଚକୁଳି ପିଠା ବ୍ୟବସାୟ କରୁଥିଲେ। ଗତ କିଛିଦିନ ହେବ କ୍ୟାବିନ୍ ବନ୍ଦ ରହିଥିଲା। ରବିବାର ସକାଳେ କ୍ୟାବିନ୍ରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଦୋକାନୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚି ମୃତଦେହ ଜବତ କରି ଛାନ୍ଭିନ୍ ଚଳାଇଛନ୍ତି। ଘଟଣା ପ୍ରଚାର ହେବା ପରେ ଲୋକେ ଭିଡ଼ ଜମିଛି।