ଲାଇଭ୍‌ ଭିଡିଓରେ ମହିଳା ଏମ୍‌ବିକେଙ୍କ ଆତ୍ମହତ୍ୟା ଉଦ୍ୟମ

କୋରାପୁଟ /ନାରାୟଣପାଟଣା, ୩୧ା୭, (ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ପଥରଦେଉଳ ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ଲକରେ କାର୍ଯ୍ୟରତ ମିଶନଶକ୍ତିର ମାଷ୍ଟର ବୁକ୍‌ କିପର (ଏମ୍‌ବିକେ) ଭବାନୀ ପ୍ରଧାନ ନ୍ୟାୟ ନ ପାଇ ବୁଧବାର ଏକ ବନ୍ଦ ଘରେ ଲାଇଭ୍‌ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହା ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ୬ ବର୍ଷ ଧରି ବ୍ଲକର ୨ ଉପରିସ୍ଥ ଅଧିକାରୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ଭିଡିଓରେ କହିଛନ୍ତି। ନାରାୟଣପାଟଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏନେଇ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ଏପରି ଭିଡିଓ ଭାଇରାଲ ପରେ ପୋଲିସ ପଥରଦେଉଳସାହିକୁ ଯାଇ ଭବାନୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପରେ କୋରାପୁଟ ମେଡିକାଲକୁ ପଠାଇଛି। ଭବାନୀ ଶ୍ୱାସଜନିତ ରୋଗରେ ପୀଡିତ ଅଛନ୍ତି। ବୁଧବାର ସକାଳେ ଭିଡିଓରେ ଶ୍ୱାସ ଔଷଧ ଖାଇ ଆତ୍ମହତ୍ୟା କରୁଛନ୍ତି ବୋଲି ଭାଇରାଲ କରିଥିଲେ। ନିର୍ଯାତନା ଅଭିଯୋଗ ସମ୍ପର୍କରେ ବ୍ଲକ କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କୁ ପୋଲିସ ପଚରାଉଚରା କରଛି। ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ, ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ନାୟକ କହିଛନ୍ତି।

Share