କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବଜାର ଉପରେ କରିଦେଲେ ଛିଡ଼ା: ସହିପାରିଲେନି ବାପା ଶେଷରେ ନେଲେ ଚରମ ନିଷ୍ପତ୍ତି 

ଚାନ୍ଦବାଲି,୨୬।୧(କିଷାନ ପାତ୍ର): ସୀମା ଟପିଲା ବର୍ବରତା। ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ  ବାପା  ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ବାଂଶଡା ଥାନା ଚଡଦିଆରୁ।
ସୂଚନାଯୋଗ୍ୟ, ଚଡଦିଆ ପଞ୍ଚାୟତରେ ହେଉଥିବା ମଦ ବିରୋଧୀ ଆନ୍ଦୋଳନରେ  ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ଚଡଦିଆ ଗ୍ରାମର ଜଣେ  ମହିଳା ଚୋରା ମଦ ବିକ୍ରି କରୁଥିବାର ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଖବର ପାଇଥିଲେ। ପ୍ରଥମେ ମହିଳାମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡେଇ ଭାଙ୍ଗିଥିଲେ । ରବିବାର ଉତ୍ତ୍ୟକ୍ତ ମହିଳା ତାଙ୍କ ଘରକୁ ଯାଇ ମାଡ଼ ପିଟି କରିବା ସହିତ ମଦ ବିକ୍ରି କରୁଥିବା ମହିଳାଙ୍କୁ ବିଚ ରାସ୍ତାରେ ଚଲାଇ ଚଲାଇ ମାର୍କେଟ ମଝିରେ ସା ୬ ରୁ ରାତି ୧୧ ପର୍ଯ୍ୟନ୍ତ ଛିଡା କରି ଜରିମାନା ବାବଦକୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିବା ପରେ ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ। ମହିଳା ଜଣଙ୍କ ଶେଷରେ ୩୦ ହଜାର ଟଙ୍କା ଜରିମାନା ଦେବା ପାଇଁ କହିବାରୁ ତାଙ୍କୁ ଛାଡ଼ିଥିଲେ। ଏହି  ନିର୍ଯାତନା ସହି ନ ପାରି  ରବିବାର ରାତିରେ ବଷ ପିଇ ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି। କଙ୍ଗାରୁ କୋର୍ଟ ପାଇଁ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
Dharitri – Odisha’s No.1 Odia Daily