ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା ଟ୍ରେନ୍ରେ କିଭଳି ଚିକିତ୍ସା କରାଇବେ ବୋଲି ସାଙ୍ଗରେ ଯାଉଥିବା ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏପରି କି ଏଭଳି ଦୃଶ୍ୟ ଦେଖି ନିକଟରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।
ଏହି ସମୟରେ ଜଣେ ଯାତ୍ରୀ ମେରି ସହେଲୀ ଆପ୍ର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ତୁରନ୍ତ ଗର୍ଭବତୀଙ୍କ ପରିବାର ଲୋକ ମେରି ସହେଲୀ ଆପ୍ରେ ସାହାଯ୍ୟ ମାଗିଥିଲେ। ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍ ଅଟକିବା ପରେ ଆର୍ପିଏଫ୍ ସହଯୋଗରେ ମେରି ସହେଲୀ ଟିମ୍ ତୁରନ୍ତ ଗର୍ଭବତୀ କାତ୍ରିନାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ କିଛି ସମୟ ପରେ କାତ୍ରିନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ମେରି ସହେଲୀ ଟିମ୍ ମହିଳାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଉଭୟ ମା’ ପୁଅ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ଗର୍ଭବତୀଙ୍କ ପ୍ରତି ଏପରି ସମ୍ମାନ ଏବଂ ସହଯୋଗ ପାଇଁ ଆର୍ପିଏଫ୍ ଓ ଓଡ଼ିଶା ପୋଲିସକୁ କାତ୍ରିନା ଧନ୍ୟବାଦ ଦେଇଛନ୍ତି । ତାଙ୍କ ଘର ଆସାମ ହୋଇଥିବାବେଳେ ସେ ବେଙ୍ଗାଲୁରୁରୁ ହଓଡ଼ା ଯାଉଥିଲେ ।