ନାକଟିଦେଉଳ, ୧୦ା୧୧(ବୈକୁଣ୍ଠନାଥ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର। ବାଇକ୍ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ କନ୍ୟା ସନ୍ତାନ ଜନ୍ମଦେଲେ ସ୍ତ୍ରୀ। ଏପଟେ ଜନ୍ମର କେଇ ଘଣ୍ଟା ପୂର୍ବରୁ ବାପଛେଉଣ୍ଡ ହୋଇଗଲା ନିଷ୍ପାପ ଶିଶୁ। ଆସନ୍ନ ପ୍ରସବା ସ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଏହିପରି ଏକ ହୃଦୟବିଦାରକ ପରିସ୍ଥିତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ଅଞ୍ଚଳରେ।
ନାକଟିଦେଉଳ ବ୍ଲକ ସାହେବୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାରବେଡ଼ା ଗ୍ରାମର ଧରଣୀଧର ଦେହୁରୀଙ୍କ ଝିଅ ସଙ୍ଗୀତା ଦେହୁରୀ(୨୬)ଙ୍କର ୨୦୨୫ଜାନୁୟାରୀ ମାସରେ ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ପିପିଲିକାନୀ ଗ୍ରାମର ମନୋଜ ମାଝୀ(୩୦)ଙ୍କ ସହିତ ବିବାହ ହୋଇଥିଲା। ସଙ୍ଗୀତା ଗର୍ଭବତୀ ହେବା ପରେ ଗତ ପ୍ରାୟ ୩ ମାସ ହେଲା ନିଜ ବାପଘର ଝାରବେଡ଼ା ଗ୍ରାମରେ ମା’ବାପାଙ୍କ ପାଖରେ ରହୁଥିଲେ। ଗତ ୭ ତାରିଖ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ସଙ୍ଗୀତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ସ୍ବାମୀ ମନୋଜ ଏବଂ ଶାଶୁ ମଞ୍ଜୁ ଶନିବାର ଅପରାହ୍ନରେ ନାକଟିଦେଉଳ ଡାକ୍ତରଖାନା ଆସିଥିଲେ। ଏପରିକି ସ୍ବାମୀ, ଶାଶୁ ଡାକ୍ତରଖାନାରେ ସଙ୍ଗୀତାଙ୍କ ପାଖରେ ରହିଥିଲେ। ରବିବାର ସନ୍ଧ୍ୟାରେ ମା’ପୁଅ ଅର୍ଥାତ୍ ମଞ୍ଜୁ ଓ ମନୋଜ ନିଜ ଘର ପିପିଲିକାନୀକୁ ବାଇକ୍ରେ ଫେରୁଥିଲେ।
ରେଢ଼ାଖୋଲ ଆଦର୍ଶ ବିଦ୍ୟାଳୟ ଛକରେ ସମ୍ମୁଖ ଦିଗରୁ ଆସୁଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ତେବେ ସବୁଠାରୁ ଦୁଃଖଦ ଘଟଣା ହେଉଛି ସନ୍ଧ୍ୟା ପ୍ରାୟ ୭ଟା ବେଳେ ସ୍ବାମୀ ମନୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ନାକଟିଦେଉଳ ଡାକ୍ତରଖାନାରେ ସଙ୍ଗୀତା ରାତ୍ର ପ୍ରାୟ ସାଢ଼େ ୯ଟାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମା’ ଗର୍ଭରୁ ଭୂମିଷ୍ଠ ହେବାର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଜଣେ ନିଷ୍ପାପ ଶିଶୁ ବାପଛେଉଣ୍ଡ ହୋଇଯାଇଥିଲେ। ଏହି ଘଟଣା ଉଭୟ ପରିବାରକୁ ମର୍ମାହତ କରିଛି ।
Dharitri – Odisha’s No.1 Odia Daily