ଚିକିତ୍ସିତ ହୋଇ ଫେରିବା ବେଳେ ବାଟରେ ଡାକିନେଲା ଯମ, ବୋଲେରୋ-ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ (ନଂ.ଓଡ଼ି୩୩ ଏଏମ – ୪୭୬୧) ମୁହାଁମୁହିଁ ଧକ୍କା ହୋଇଛି । ଏହି ଛାତିଥରା ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଅନ୍ୟ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ରାୟଗଡ଼ା କାଶୀପୁର ଅଞ୍ଚଳର ଲଳିତା ନାୟକ(୪୫)। ଏବଂ ଆହାତ ଦ୍ୱୟ ହେଲେ ଭଉଣୀ କୁମାରୀ ନାୟକ(୩୦), ଭଣଜା ବୁନା ନାୟକ(୨୦)।

ଖବର ଅନୁସାରେ, ସୋମବାର ରାତି ପ୍ରାୟ ସାଢ଼େ ୨ ଟାରେ ଏହି ଦୁର୍ଘଟଣା ଘଟିଛି । କଟକ ବଡ଼ ଡ଼ାକ୍ତରଖାନାରେ ଲଳିତାଙ୍କୁ ଚିକିତ୍ସା କରାଇ ପରିବାର ଲୋକେ କାଶୀପୁର ଫେରୁଥିବା ବେଳେ ବିପରୀତ ଦିଗରୁ ଆମ୍ବୁଲାନ୍ସଟି ଦୃତଗତିରେ ଆସି ଧକ୍କା ଦେଇଥିଲା। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ କର୍ମଚାରୀମାନଙ୍କ ସହାୟତାରେ ସମସ୍ତ ଆହାତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ଲଳିତାଙ୍କୁ ମୃତ ଘୋଷଣା କରିଥିଲେ। ଆହାତ କୁମାରୀ ଏବଂ ବୁନାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମକଦ୍ଦମା ରୁଜୁ କରି ଲଳିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣାଗସ୍ତ ଦୁଇଟି ଗାଡ଼ିକୁ ଜବତ କରାଯାଇ ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

 

Dharitri – Odisha’s No.1 Odia Daily