ଅତାବିରା,୧୩।୨(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମର ଏକ କେନାଲରୁ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଜବତ କରାଯାଇଛି । ମୃତ ମହିଳାଙ୍କ ନାମ କୋଳପତି ବିରଭଦ୍ରା (୫୮) ବୋଲି ଜଣାପଡିଛି । ତେବେ ମହିଳା ଜଣକ ସେଠାକାର ବାସିନ୍ଦା ବୋଲି ଜଣାପଡିଛି ।
ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଦେହରେ ଅପସ୍ମାର ଅର୍ଥାତ ମୂର୍ଚ୍ଛା ରୋଗ ଥିଲା । ଶୁକ୍ରବାର ସକାଳୁ ଘର ସାମ୍ନାରେ ଝାଡୁ ମାରିବାକୁ ବାହାରିଥିଲେ । ପ୍ରତିଦିନ ଭଳି ଘର ସାମ୍ନାରେ ଯାଇଥିବା କେନାଲରୁ ପାଣି ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ସେ ଭାସିଯାଇଥିବା ନେଇ ପରିବାର ଲୋକେ ଅନୁମାନ କରିଛନ୍ତି ।ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି କେନାଲ ପାଣିରୁ ମୃତଦେହ ଉଦ୍ଧାର କରିଛି । ପରେ ଶବ କୁ ଜବତ କରି ଅତାବିରା ପୋଲିସ ଶବ ବ୍ୟବଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟାଳୟ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଏନେଇ ଅତାବିରା ଥାନାରେ ଏକ ଅପମୃତ୍ୟୁ ମାମଲା ୩/୨୦୨୬ ରୁଜୁ ହୋଇ ଥିବା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି ।

