କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମୃତ ମହିଳାଙ୍କ ନାମ ବତୀ କୁଲଦୀପ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ନୂଆ କଲୋନୀ ନିକଟରେ ଥିବା କୋରାପୁଟ-ରାୟଗଡା ରେଳ ଲାଇନରେ ଏହି ଦୁର୍ଘଟଣା ଘଟିଛି । ବତୀ କୁଲଦୀପ ନିଜ ସମ୍ପର୍କୀୟଙ୍କ ଘରୁ ରେଳ ଲାଇନ ପାର ହୋଇ ନିଜ ଗ୍ରାମ ରେଙ୍ଗିଆଗୁଡାକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ସେ ରେଳ ଲାଇନ ପାର କରୁଥିବା ସମୟରେ କୋରାପୁଟରୁ ବିଶାଖାପଟ୍ଟଣା ଯାଉଥିବା ପାସେଞ୍ଜର ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା ।
ଘଟଣା ପରେ କୋରାପୁଟ ରେଳବାଇ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଉଦ୍ଧାର କରି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।