ତେଲ ଟ୍ୟାଙ୍କର ନେଲା ମହିଳାଙ୍କ ଜୀବନ: ରାସ୍ତାରୋକ, ସ୍କର୍ପିଓ ଭଙ୍ଗାରୁଜା

ବରଗଡ଼,।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ବରଡୋଲ ନିକଟରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତେଲ ବୋଝେଇ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଅବସରପ୍ରାପ୍ତ ସେନା ଅଧିକାରୀ ତଥା ଭଟଲି ବାସିନ୍ଦା ସୁଦାମ ଶତପଥୀଙ୍କ ସ୍ତ୍ରୀ ତୁଳସୀ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଛି । ତେବେ ଆନ୍ଦୋଳନ ଚାଲିଥିବାବେଳେ ଏକ ସ୍କର୍ପିଓ ଜୋର ଜବରଦସ୍ତ ଆନ୍ଦୋଳନସ୍ଥଳ ପାରି ହେବା ସହିତ ସେଠାରେ ଥିବା କେତେକ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଆହୁରି ତୀବ୍ର ହୋଇଛି। ଉତ୍ତେଜିତ ଲୋକେ ସମ୍ପୃକ୍ତ ସ୍କର୍ପିଓକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

 

Dharitri – Odisha’s No.1 Odia Daily

Share