ଭୁବନ,୧୨।୮( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର େହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ପ୍ରେମଲତା ଏଲ ଏ ଟି ଘରୋଇ ସସ୍ଥାରୁ ୮୦ ହଜାର ଟଙ୍କା ଋଣ କରିଥିଲେ । ସେ ମାସିକ ୪ ହଜାର ଟଙ୍କା କିସ୍ତି ଦେଉଛନ୍ତି । ପ୍ରତ୍ୟେକ ମାସ ୧୦ ତାରିଖ ଦିନ କିସ୍ତି ଦେବା ପାଇଁ ତାଙ୍କ ସ୍ବାମୀଙ୍କୁ ମାଗିଥିଲେ। ସ୍ବାମୀ ଦରମା ପାଇଲେ ଦେବା ପାଇଁ କହିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ହଠାତ ପ୍ରେମଲତା ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଭୁବନ ଡାକ୍ତର ଖାନାକୁ ନେଇଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । କଟକ ସ୍ଥାନାନ୍ତରୀତ ସମୟରେ ତାଙ୍କ ଦେହର ୬୦ ଭାଗ ପୋଡ଼ିଯାଇଥିବା ଭୁବନ ଡାକ୍ତର ଖାନା କର୍ମଚାରୀ ମାନଙ୍କ ପକ୍ଷରୁ କୁହାଯାଇଛି । ଖବର ପାଇ ଭୁବନ ଥାନା ଅଧିକାରୀ ଧିରେନ ସାଇଁ ଡାକ୍ତର ଖାନାରେ ପହଞ୍ଚିଥିଲେ । ସେତେଳେକୁ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତରୀତ କରାଯାଇଥିଲା । ସୋମବାର କାମାକ୍ଷାନଗର ଏସଡିପିଓ ରଜନୀ କାନ୍ତ ସାମଲ ଓ ଜିଲା ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିଥିଲେ। ଏ ସଂକ୍ରାନ୍ତରେ ଭୁବନ ଥାନା ଅଧିକାରୀ କଟକରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ମହିଳାଙ୍କ ନିକଟକୁ ଯାଇଛନ୍ତି ବୋଲି କହିବା ସହିତ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି ।