ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏଲ. ଗୌରୀ ରେଡ୍ଡୀ ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସ୍ବାମୀ ଉତ୍ତ୍ୟକ୍ତ ହୋଇ କୁରାଢ଼ିରେ ଗୌରୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହେବା ଫଳରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା। ତରବରିଆ ଭାବେ ସ୍ବାମୀଙ୍କ ଭାଇମାନେ ଅଖା ବ୍ୟାଗରେ ମୃତଦେହକୁ ଭର୍ତି କରି ଏକ ଅଟୋ ଯୋଗେ ଗ୍ରାମର ମଶାଣିକୁ ନେଇ ପୋଡି ଦେଇଥିଲେ। ମଙ୍ଗଳବାର ସକାଳେ କନିସି ଗ୍ରାମର ଡି ଦୁର୍ଯ୍ୟୋଧନ ପାତ୍ର ତାଙ୍କ ସାଙ୍ଗ ଗୌତମ ବେହେରା ମିଶି ଫାସୀନୂଆପଡ଼ା ଗ୍ରାମକୁ ବୁଲିବାକୁ ଯାଇଥିଲେ। କୌଣସି ପ୍ରକାରେ ମହିଳାଙ୍କ ହତ୍ୟା ସମ୍ପର୍କରେ ଜାଣିବା ପରେ ଦୁର୍ଯୋଧନ ଜାଣିବା ପରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା। ଏସଆଇ ସିଲୁ ଧଳ ଓ ଅନ୍ୟ କର୍ମଚାରୀମାନେ ଗ୍ରାମରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ହତ୍ୟା ଘଟଣାକୁ ରଫାଦଫା କରିବା ପାଇଁ ପରିବାର ଲୋକଙ୍କ ପକ୍ଷରୁ ଉଦ୍ୟମ ଚାଲିଥିବା ସାଧାରଣରେ ଅଭିଯୋଗ ହୋଇଛି। ଖବର ଲେଖା ହେବା ସୁଦ୍ଧା ମାମଲା ହୋଇନଥିବା ସୂଚନା ମିଳିଛି।

