ଭୁବନେଶ୍ୱର,୬ା୧: ଆହୁରି କଲବଲ କରିବ ଥଣ୍ଡା। ୩ରୁ ୪ ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
୩ରୁ ୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ଆଶା କରାଯାଉଛି। ଅନ୍ୟପକ୍ଷେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମହାନ୍ତି ପ୍ରକାଶ କରିଛନ୍ତି।
କିଛି ଦିନ ତଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ହେଲେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିବାରୁ ଶୀତରୁ ଲୋକଙ୍କୁ ସାମାନ୍ୟ ତ୍ରାହି ମିଳିଛି। ଏଭଳି ସ୍ଥିତିରେ ପୁଣି ରାଜ୍ୟରେ ଶୀତ ବଢିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡିରେ ୮.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡା ୮.୮, ରାଉରକେଲା ୯, ସେମିଳିଗୁଡା ୯.୨, ଜି.ଉଦୟଗିରି ୯.୮, କିରେଇ ୯.୮, ଚିପିଲିମା ୧୦.୨, ବୌଦ୍ଧ ୧୦.୫ ଓ ସୁନ୍ଦରଗଡ଼ରେ ୧୦.୬ ଡିଗ୍ରୀ ରେକର୍ଡ ହୋଇଛି। ହେଲେ ଜାନୁଆରୀ ୭ ଯାଏ ରାଜ୍ୟରେ ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।
ବୁଧବାର କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହିସବୁ ଜିଲାଗୁଡ଼ିକରେ ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍ ରହିବ ବୋଲି ସୂଚନା ଦିଆଯାଇଛି।


