ଦୁଇଦିନ ପରେ ପୁଣି ଫେରିଲା ଶୀତ: ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ଜି.ଉଦୟଗିରି,୨୪ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଫେରିଛି ଶୀତ। ସୋମବାର ଜି. ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୧୧. ୩ ଡିଗ୍ରୀ ସେଲସିୟସ ରହିଛି। ଯାହାକି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା। ସୋମବାର ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଣେ ଶୀତର ମଜା ନେବାକୁ ଆସିଥିବା ବାହାରର ପର୍ଯ୍ୟଟକମାନେ ଶୀତ କମିଯିବା ଯୋଗୁ ମନ ଦୁଃଖରେ ଥିଲେ। ସୋମବାର ଶୀତ ସାଙ୍ଗକୁ ଘନ କୁହୁଡ଼ି ସେମାନଙ୍କୁ ଅଧିକ ମଜା ଦେଇଛି। ଜି. ଉଦୟଗିରି ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି। କଳିଗାଡୁ ହିଲଟପ୍‌ରେ ପର୍ଯ୍ୟଟକମାନେ ସୁନ୍ଦର ପରିବେଶର ମଜା ନେଉଛନ୍ତି। ପର୍ଯ୍ୟଟନସ୍ଥଳ ହିଲଟପ୍‌ର ଉନ୍ନତିକରଣ ପାଇଁ ଆସିଥିବା ଟଙ୍କାର ସୁବିନିଯୋଗ କରି ଅତିଶୀଘ୍ର ହିଲଟପ୍‌ର ବିକାଶ କରିବା ପାଇଁ ସମାଜସେବୀ ହୃଷୀକେଶ ପ୍ରଧାନ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share