ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫ ଡିଗ୍ରୀ ରହିଛି। ଫଳରେ ରାଜ୍ୟରେ ସବୁଠାରୁ କମ୍‌ ତାପମାତ୍ରା ବୋଲି କୁହାଯାଇଛି। ପ୍ରବଳ ଜାଡ଼ ଯୋଗୁ ଦାରିଙ୍ଗବାଡ଼ି ଅଞ୍ଚଳର ଲୋକମାନେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ରବିବାର ଛୁଟିଦିନ ରହିଥିବାରୁ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବିଶେଷ କରି ଡ଼ୁଲୁରୀ ପାଇନ ବଣ ସମେତ କଫି ବଗିଚା, ହିଲଭିୟୁ ପାର୍କ, କିସୁବାଡ଼ି ଜଳପ୍ରପାତ, ମିଡିୟବୁାନ୍ଦା ଜଳପ୍ରପାତ, ଲଭର୍ସ ପଏଣ୍ଟ ଆଦିରେ ପ୍ରବଳ ଭିଡ଼ ଜମାଇଛନ୍ତି। ଦିନକୁ ଦିନ ଶୀତ ବୃଦ୍ଧି ଯୋଗୁ ଶ୍ରମିକ ଓ ଗରିବ ରେଖା ତଳେ ରହିଥିବା ଲୋକଙ୍କ ମଧ୍ୟରେ ବହୁ କଷ୍ଟ ଦେଖିବାକୁ ମିଳିଛି। ଶୀତ ଯୋଗୁ କାମଧନ୍ଦାରେ ଯିବା ମୁସ୍କିଲ ହୋଇପଡୁଛି। ଏବେ ଦାରିଙ୍ଗବାଡ଼ିରେ ଦିନ ଓ ରାତିରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ପାଣିରେ ହାତ ଦେବା ମଧ୍ୟ କଷ୍ଟକର ହୋଇପଡ଼ିଛି।

Dharitri – Odisha’s No.1 Odia Daily

Share