ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ ବାଲେଶ୍ୱରରେ ୧୧.୨ ଡିଗ୍ରୀ ତାପମାତ୍ରା ରହିଛି। କେନ୍ଦୁଝର ୯.୨, ଚାନ୍ଦବାଲି ଓ ପାରାଦୀପରେ ୧୨.୪ ଡିଗ୍ରୀ।
ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ ନାମ ଧରୁନି । ଆହୁରି ପ୍ରବଳ ଶୀତ ପଡିବ । ଏବେ ସନ୍ଧ୍ୟା ନଇଁ ଆସିବା କ୍ଷଣି ସାଥିରେ ଶୀତ ମାଡି ଆସୁଛି । ଘନ କୁହୁଡି ଓ ସୁଲୁସୁଲିଆ ଦକ୍ଷିଣା ପବନ ଶୀତକୁ ଦ୍ବିଗୁଣିତ କରୁଛି । ଘରୁ ଗୋଡ଼ କାଡିବା ମୁସ୍କିଲ ହୋଇପଡୁଛି। ଏବେ ଭାରତ ମହାସାଗରରେ ଆଉ ଏକ ଲଘୁଚାପ ଘନୀଭୂତ ହେଉଥିବା ବେଳେ ଦିନରେ କେତେବେଳେ ଖରା ଆଉ କେତେବେଳେ ପାଗ ମେଘୁଆ ସହ କୋହଲା ପାଗ ହେଉଛି। ଫଳରେ ଶୀତ ଦ୍ବିଗୁଣିତ ହେଉଛି। ୫୯ ନଂ ଜାତୀୟ ରାଜପଥ ଉପରେ ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବଡ଼ ବାଧକ ସାଜିଛି । ବିଳମ୍ବିତ ରାତି ଠାରୁ କୁହୁଡି ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି । ଅସହ୍ୟ ଜାଡ଼ ଯୋଗୁ ଅଞ୍ଚକବାସୀ ପ୍ରାତଃ ଭ୍ରମଣ ସହ ଯୋଗାଭ୍ୟାସ ଓ ପ୍ରାଣାୟାମ କରି ଦେହକୁ ଉଷୁମ କରିବା ସହ ଫିଟ ରଖୁଛନ୍ତି । ସେହିପରି ଅନ୍ୟମାନେ ମଧ୍ୟ ନିଆଁ ଲଗାଇ ନିଆଁ ପୁଆଉଁଥିବା ଓ ଖରାରେ ରହି ଦେହକୁ ଉଷୁମ କରୁଥିବା ଦେଖିବାକୁ ମିଳିଛି ।


