ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ଶୀତ ମହୋତ୍ସବ ଥିବାରୁ ଦାରିଙ୍ଗବାଡିକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ ନାମ ଧରୁନି । ଆହୁରି ପ୍ରବଳ ଶୀତ ପଡିବ । ଏବେ ସନ୍ଧ୍ୟା ନଇଁ ଆସିବା କ୍ଷଣି ସାଥିରେ ଶୀତ ମାଡି ଆସୁଛି । ଘନ କୁହୁଡି ଓ ସୁଲୁସୁଲିଆ ଦକ୍ଷିଣା ପବନ ଶୀତକୁ ଦ୍ବିଗୁଣିତ କରୁଛି । ଘରୁ ଗୋଡ଼ କାଡିବା ମୁସ୍କିଲ ହୋଇପଡୁଛି। ଏବେ ଭାରତ ମହାସାଗରରେ ଆଉ ଏକ ଲଘୁଚାପ ଘନୀଭୂତ ହେଉଥିବା ବେଳେ ଦିନରେ କେତେବେଳେ ଖରା ଆଉ କେତେବେଳେ ପାଗ ମେଘୁଆ ସହ କୋହଲା ପାଗ ହେଉଛି। ଫଳରେ ଶୀତ ଦ୍ବିଗୁଣିତ ହେଉଛି। ୫୯ ନଂ ଜାତୀୟ ରାଜପଥ ଉପରେ ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବଡ଼ ବାଧକ ସାଜିଛି । ବିଳମ୍ବିତ ରାତି ଠାରୁ କୁହୁଡି ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି । ଅସହ୍ୟ ଜାଡ଼ ଯୋଗୁ ଅଞ୍ଚକବାସୀ ପ୍ରାତଃ ଭ୍ରମଣ ସହ ଯୋଗାଭ୍ୟାସ ଓ ପ୍ରାଣାୟାମ କରି ଦେହକୁ ଉଷୁମ କରିବା ସହ ଫିଟ ରଖୁଛନ୍ତି । ସେହିପରି ଅନ୍ୟମାନେ ମଧ୍ୟ ନିଆଁ ଲଗାଇ ନିଆଁ ପୁଆଉଁଥିବା ଓ ଖରାରେ ରହି ଦେହକୁ ଉଷୁମ କରୁଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକ ନିଜ ପରିବାର ସହ ଇକୋ ରିଟ୍ରିଟ ସହ ହୋଟେଲ ଲଜରେ ରାତ୍ରିଯାପନ କରିଛନ୍ତି । ରାଜ୍ୟର ପର୍ଯ୍ୟଟକଙ୍କ ସମେତ ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡିରେ ଡେରା ପକାଇ ଶୀତର ମଜା ନେଉଛନ୍ତି । ଛୁଟି ଖୋଲିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ବାହାର ରାଜ୍ୟର ପର୍ଯ୍ୟଟକ ଭିଡ଼ ଜମାଇଛନ୍ତି । ଗୁରୁବାର ଠାରୁ ଶୀତ ମହୋତ୍ସବ ରହିଥିବାରୁ ଶୀତ ସହ ମହୋତ୍ସବରେ ମଜାନେବାକୁ ପର୍ଯ୍ୟଟକ ଏବେଠାରୁ ଦାରିଙ୍ଗବାଡିକୁ ଆସିବା ଆରମ୍ଭ ହୋଇସାରିଛି ।

Dharitri – The Largest & Most Trusted Odia Daily

Share