ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି। ପୁଣି ଶୀତ ଫେରିବାରୁ ଲୋକଙ୍କ ଜୀବନଚର୍ଯ୍ୟାରେ ବି ପରିବର୍ତ୍ତନ ଆସିଛି। ଆଉଥରେ ଲୋକଙ୍କୁ ଶୀତ ଦାଉରୁ ବର୍ତ୍ତିବା ପାଇଁ ନିଆଁ ଓ ଖରାର ଆବଶ୍ୟକତା ଜରୁରୀ ହୋଉପଡ଼ିଛ। ହଠାତ୍‌ ତାପମାତ୍ରା ଖସିବାରୁ ଅସ୍ତବ୍ୟସ୍ତ କରିପକାଉଛି ଏହି ଶୀତ। ତେବେ ଜରୁରୀ କାମ ଧନ୍ଦା ନଥିଲେ ଲୋକେ ଘରୁ ଗୋଡ଼ ବାହାର କରୁନାହାନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ଶୀତର ପ୍ରକୋପ ବହୁତ କମିଥିବା ବେଳେ ଦିନରେ ସାମାନ୍ୟ ଗରମ ସ୍ଥିତିକୁ ଫେରିଥିଲା

ସେହିପରି ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି  ଉପରବାର୍‌ହାକାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପୀ ଅସମ୍ଭାଳ ଶୀତ ପରିଲ୍ଲଖିତ ହୋଇଛି। ଶିମିଳିପାଳ ଅଭୟାରଣ୍ୟର ଚହଲାରେ ୫ଡିଗ୍ରୀ, ଗୁଡୁଗୁଡ଼ିଆରେ ୮ଡିଗ୍ରୀ, ବରେହିପାଣି ଓ ନଅଁଣାରେ ୯ଡିଗ୍ରୀ, ରାମତୀର୍ଥରେ ୧୩ଡିଗ୍ରୀ, ସାତକୋଶିଆ ଏବଂ କିଆଝରିରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଜିଲାର ୨୬ଟି ବ୍ଲକ୍‌ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ପାଖାପାଖି ରହୁଛି। ଅବାଧ ଗଛକଟା ଓ ଖଣିଖନନ ଯୋଗୁ ଏହାର ପ୍ରଭାବ ଜିଲାବାସୀଙ୍କ ଉପରେ ପଡୁଥିବା ପରିବେଶବିତ୍‌ମାନେ କହିଛନ୍ତି।

Dharitri – Odisha’s No.1 Odia Daily

Share