ଦାରିଙ୍ଗବାଡି, ୧୨ /୧୧ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଏବେ ଶୀତର ସହର ଭାବେ ଜଣାଶୁଣା। ଜଳବାୟୁ ପରିବର୍ତ୍ତନ ଶୀତଳ ପବନ ବୋହିବା ସହ ଦୈନିକ ପାରଦ ତଳକୁ ତଳକୁ ଖସୁଛି । ବୁଧବାର ସକାଳ ୭ ଟା ସୁଦ୍ଧା ତାପମାତ୍ରାରେ ହ୍ରାସ ପାଇ ସର୍ବନିମ୍ମ ୮. ୫ ଡିଗ୍ରୀରେ ପହଞ୍ଚିଛି।ମଙ୍ଗଳବାର ଏହାଠାରୁ ଗୋଟିଏ ଅଙ୍କ ଅଧିକ ତାପମାତ୍ରା ରହିଥିଲା । କୁହାଯାଉଛି ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ୪ ମାସ ଧରି ବର୍ଷା ଲାଗିରହିବା ସହ ଏକାଧିକ ଥର ଲଘୁଚାପ ସୃଷ୍ଟି ହୋଇ ବର୍ଷା ହୋଇଥିଲା। ତେବେ ଯେଉଁ ଭଳି ବର୍ଷା ଲାଗିରହିଥିଲା ଅଞ୍ଚଳକୁ ଶୀତ ଆସିବାରେ ବିଳମ୍ବ ହୋଇଥିଲା। ଏବେ ବର୍ଷା ଛାଡିଛି ଓ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଫଳରେ ସନ୍ଧ୍ୟା ନଇଁ ଆସିବା କ୍ଷଣି ଶୀତ ମାଡି ଆସୁଛି ଓ ସକାଳ ୧୦ ଟାଯାଏ ଥରାଉଛି।
ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ଲଗାଇ ନିଆଁର ଭରସାରେ ରହିବାକୁ ବାଧ୍ୟ ହେଉଛନ୍ତି। ଗରିବ ଶ୍ରେଣୀର ଲୋକମାନେ ଶୀତ ବସ୍ତ୍ର ଅଭାବ ଯୋଗୁଁ ନିଆଁ କୁ ଅଧିକା ଭରସା କରୁଛନ୍ତି। ଶ୍ରମିକମାନେ ସକାଳ ୯ ଟା ପରେ ହିଁ କାମ ଧନ୍ଦା କୁ ଯାଇପାରୁଥିବା ଜଣାପଡିଛି। ପାଣିପାଗର ଆଗୁଆ ସୂଚନା ପ୍ରକାରେ ଶୀତର ଆହୁରି ବୃଦ୍ଧି ଆଶଙ୍କା ରହିଥିବା କୁହାଯାଉଛି। ଗୋଟିଏ ପ୍ରକାର ଜନଜୀବନ ପ୍ରଭାବିତ ହେବା ଆରମ୍ଭ ହୋଇଛି। ପାଣି ଜାଡ଼ ପାଲଟିଥିବା ବେଳେ ୨ ଚକିଆ ଓ ଖୋଲା ଯାନରେ ଯାତାୟାତ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି।
Dharitri – Odisha’s No.1 Odia Daily


