ଭୁଲିବାନି ଯଶଓ୍ବନ୍ତଙ୍କୁ

ଗଣତନ୍ତ୍ରର ୩ ମୁଖ୍ୟ ସ୍ତମ୍ଭ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ନେଇ ସାଧାରଣରେ ଆଲୋଚନା ହୋଇଥାଏ। ଭାରତରେ ମଧ୍ୟ ସେହି ସ୍ଥିତି ଜୋର୍‌ ଧରିଛି। ଯେହେତୁ ପ୍ରତିଟି ଖମ୍ବ ନିଜ ଗୁଣରେ ଗରୀୟାନ ସେହେତୁ ସେମାନେ ନିଜକୁ ବଡ଼ ଭାବିଥାନ୍ତି। ଦେଖିବାକୁ ଗଲେ ସମ୍ବିଧାନରେ ପ୍ରତ୍ୟେକଟିର କାର୍ଯ୍ୟ ଉଲ୍ଲେଖ ରହିଥିଲେ ମଧ୍ୟ ତାହା ଅନୁପାଳନ ବେଳେ କେତେକାଂଶରେ ବ୍ୟତିକ୍ରମ ଦେଖାଦେଇଥାଏ। ବିଧାନପାଳିକା ନୀତି ଓ ନିୟମ ପ୍ରଣୟନ କରୁଥିବା ବେଳେ ତାହାକୁ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରିଥାଏ। ଉପରୋକ୍ତ ଦୁଇଟିରେ କୌଣସି ଅସଙ୍ଗତି ଦେଖାଦେଲେ ନ୍ୟାୟପାଳିକାର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଗ୍ରହଣ କରାଯାଏ। ତେବେ ନ୍ୟାୟପାଳିକା ମଧ୍ୟ ଗୋଟା ଅରୁଆ ଚାଉଳ ନୁହେଁ। କେବଳ ନିକଟରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ଭର୍ମାଙ୍କ ଘରୁ ପୁଳା ପୁଳା ପୋଡ଼ା ଟଙ୍କା ମିଳିବା ଓ ତା’ ପରେ ଘଟିଥିବା ଘଟଣା ନୁହେଁ, ଅତୀତରେ ମଧ୍ୟ କେତେକ ବିଚାରପତିଙ୍କ କଳା ରୂପ ପଦାରେ ପଡ଼ି ସାରିଛି। ତଥାପି ନ୍ୟାୟପାଳିକା ଉପରେ କେମିତି ଗୋଟେ ବିଶ୍ୱାସ ରହିଛି।
ଗତ ସପ୍ତାହରେ ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କୁ କାହିଁକି ବିଧାନସଭା ଦ୍ୱାରା ପାରିତ ୧୦ଟି ବିଲ୍‌ ଅଟକା ଯାଇଥିଲା, ସେ ସମ୍ବନ୍ଧରେ ସୁପ୍ରିମକୋର୍ଟ କଡ଼ା ଭାଷାରେ ନିନ୍ଦା କରିଥିଲେ। ଶୀର୍ଷ ଅଦାଲତଙ୍କ ହସ୍ତକ୍ଷେପ ଅନୁଯାୟୀ ୧୨ ଏପ୍ରିଲରେ ତାମିଲନାଡୁ ସରକାର ଏକକାଳୀନ ୧୦ ବିଲ୍‌ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ବିନା ମଞ୍ଜୁରୀରେ ଆଇନରେ ପରିଣତ କରିଛନ୍ତି। ଏହି ସମାନ ଦିନରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇ କହିଛନ୍ତି, ରାଜ୍ୟପାଳ କୌଣସି ବିଲ୍‌ ଉପରେ ବିଚାର ପାଇଁ ପଠାଇବାର ୩ ମାସ ମଧ୍ୟରେ ରାଷ୍ଟ୍ରପତି ତାହାକୁ ସମ୍ମତି ପ୍ରଦାନ କରିବାକୁ ବାଧ୍ୟ। ଅର୍ଥାତ୍‌ ବିଲ୍‌ ସଂକ୍ରାନ୍ତ ନିଷ୍ପତ୍ତି ନେବାର ସମୟସୀମା ରାଷ୍ଟ୍ରପତିଙ୍କ ପାଇଁ ଧାର୍ଯ୍ୟ ହେଲା। ଏହି ବିଷୟ ଦେଶରେ ପ୍ରଥମ ଥର ଶୁଣିବାକୁ ମିଳିଲା। ଭାରତରେ ରାଷ୍ଟ୍ରପତି ଜଣେ ରବର୍‌ଷ୍ଟାମ୍ପ ଭାବେ ସୁପରିଚିତ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମ୍ବିଧାନରେ କୌଣସି ବିଲ୍‌ ବା ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସମୟସୀମା ସ୍ପଷ୍ଟ କରାଯାଇ ନ ଥିଲା। ସେହି କାର୍ଯ୍ୟକୁ ଅତି ସୁନ୍ଦର ଭାବେ ସୁପ୍ରିମ୍‌କୋର୍ଟ କରି ଦେଖାଇଲେ। ଆଶ୍ଚର୍ଯ୍ୟ ଲାଗେ ଏଭଳି ଶକ୍ତି ସୁପ୍ରିମ୍‌କୋର୍ଟ ଜଜ୍‌ ମାନେ ପ୍ରଦର୍ଶନ କରୁଛନ୍ତି। ଆଜିର ପରିସ୍ଥିତିରେ ସେହି ଆଶ୍ଚର୍ଯ୍ୟ ଖୁସିରେ ପରିଣତ ହେଉଛି। କାରଣ ଦେଶବ୍ୟାପୀ ଶିକ୍ଷିତ ସମାଜରେ ଏକ ଦୃଢ଼ ଧାରଣା ସୃଷ୍ଟି ହୋଇଥିଲା ଯେ ନ୍ୟାୟପାଳିକା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଗୋଡ଼ାଣିଆ ହୋଇ ସବୁ ରାୟ ରାଜନୈତିକ ନେତାଙ୍କୁ ଖୁସି କରିବା ପାଇଁ ଯେମିତି ଉଦ୍ଦିଷ୍ଟ। ଏହା ପଛରେ ସ୍ପଷ୍ଟ କାରଣ ମଧ୍ୟ ରହିଛି। ଜଣଙ୍କ ପରେ ଜଣେ ଜଜ୍‌ ଅବସର ନେବା ପରେ ଯେଉଁଭଳି ଆକର୍ଷଣୀୟ ସରକାରୀ ପଦବୀ ତାଙ୍କ ପାଇଁ ଦୁଆରମୁହଁରେ ଅପେକ୍ଷା କରି ରହୁଥିଲା, ସେଥିରୁ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆସିଯାଇଥିଲା। ଦିଲ୍ଲୀ ହାଇକୋର୍ଟର ନ୍ୟାୟାଧୀଶ ଭର୍ମାଙ୍କ ଘରୁ ନଗଦ ଟଙ୍କା ମିଳିବା ସତ୍ତ୍ୱେ ତାଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ଆଲ୍ଲାହାବାଦ ହାଇକୋର୍ଟକୁ ବଦଳି କରିବା ପଛରେ ଅନ୍ୟସବୁ ଜଜ୍‌ମାନଙ୍କର ଉଦ୍ଦେଶ୍ୟ ରହିଛି ବୋଲି ଓକିଲଙ୍କ ମହଲରେ ଯେଉଁ ଆଲୋଚନା ହେଲା, ତାହାର ଏକ ସକାରାତ୍ମକ ପ୍ରଭାବ ପଡ଼ିବାଭଳି ମନେହୁଏ।
ଏଭଳି ପ୍ରଚ୍ଛଦପଟରେ କୁହାଯାଇପାରେ ଯେ, ନିକଟରେ ସର୍ବୋଚ୍ଚ ଅଦାଲତ ନେଇଥିବା ଦୁଇଟି ନିଷ୍ପତ୍ତି ଏହାର ସ୍ବଚ୍ଛତାକୁ ଅନେକାଂଶରେ ଦର୍ଶାଉଛି। ପ୍ରଥମଟି ହେଲା ପ୍ରଧାନ ବିଚାରପତିଙ୍କ ସମେତ ସବୁ ଜଜ୍‌ ସାଧାରଣରେ ସେମାନଙ୍କର ସମ୍ପତ୍ତି ତାଲିକା ଘୋଷଣା କରିବେ। ଯଶଓ୍ବନ୍ତ ଭର୍ମାଙ୍କ ଯୋଗୁ ସୃଷ୍ଟି ହୋଇଥିବା ଅସ୍ବାଭାବିକ ସ୍ଥିତି ପାଇଁ ଏଭଳି ଅବସର ଆସିଥିଲେ ମଧ୍ୟ ଏହା ନ୍ୟାୟପାଳିକାର ସ୍ବଚ୍ଛତା ପ୍ରତି ଗୋଟିଏ ପାଦ ଅଗ୍ରସର ବୋଲି କୁହାଯାଇପାରେ। କାରଣ ପୂର୍ବରୁ ବିଚାରପତିମାନେ ସେମାନଙ୍କ ଆର୍ଥିକ ତଥ୍ୟ ଦେଉ ନ ଥିଲେ। ତେବେ ଏବର ଘୋଷଣା ଅନୁପାଳନ ହେଲେ ବିଚାରପତିଙ୍କ ଉତ୍ତରଦାୟିତ୍ୱ ବଢ଼ିପାରେ। ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ନିଷ୍ପତ୍ତି ହେଲା ପୂର୍ବଭଳି ହାଇକୋର୍ଟ ଜଜ୍‌ ହେବା ପାଇଁ ଯେଉଁ କୋହଳ ପଦ୍ଧତି ଥିଲା, ସେଥିରେ ପରିବର୍ତ୍ତନ ଅଣାଯାଇ ପ୍ରକ୍ରିୟାକୁ କଠୋର କରାଯାଇଛି। ଅର୍ଥାତ୍‌ ଚଳିତ ମାସ ପ୍ରାରମ୍ଭରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ହାଇକୋର୍ଟ ବିଚାରପତି ଚୟନରେ ସାକ୍ଷାତ୍‌କାର ପରୀକ୍ଷାକୁ ବାଧ୍ୟତାମୂଳକ କରିଦେଇଛନ୍ତି। ପୂର୍ବରୁ ହାଇକୋର୍ଟ କଲେଜିୟମ ଯେଉଁମାନଙ୍କ ନାମ ବିଚାରପତି ପାଇଁ ପ୍ରସ୍ତାବ ଦେଇ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ୩ଜଣିଆ ସୁପ୍ରିମକୋର୍ଟ କଲେଜିୟମକୁ ସୁପାରିସ କରୁଥିଲେ, ସେଥିରୁ ପ୍ରାୟ ୯୦ ପ୍ରତିଶତ ସଫଳତା ପାଇଯାଉଥିଲେ। ହେଲେ ନିକଟରେ ହୋଇଥିବା ସାକ୍ଷାତ୍‌କାର ପରୀକ୍ଷାରେ ହାଇକୋର୍ଟ କଲେଜିୟମ୍‌ ଦ୍ୱାରା ସୁପାରିସ ହୋଇ ଆସିଥିବା ନାମ ମଧ୍ୟରୁ ୫୦ ପ୍ରତିଶତ ଫେଲ୍‌ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ, ଆଲ୍ଲାହାବାଦ, ବମ୍ବେ, କଲିକତା, ଦିଲ୍ଲୀ, ଗୁଜରାଟ, ମଣିପୁର, ଓଡ଼ିଶା, ପାଟନା, ରାଜସ୍ଥାନ, ତେଲଙ୍ଗାନା. ଉତ୍ତରାଖଣ୍ଡ ହାଇକୋର୍ଟ ପାଇଁ ସୁପାରିସ ହୋଇଥିବା ୧୦୧ ଜଣଙ୍କ ମଧ୍ୟରୁ ମାତ୍ର ୪୯ ଜଣ ବିଚାରପତି ହେବାକୁ ଉପଯୁକ୍ତ ବୋଲି ଜଣାପଡ଼ିଛି। ଆଗରୁ ସୁପାରିସ ହୋଇ ଆସୁଥିବା ନାମ ମଧ୍ୟରେ ପ୍ରିୟାପ୍ରୀତି କାମ ଦେଉଥିଲା। ଯେଉଁମାନଙ୍କ ନାମରେ ଗୋଇନ୍ଦା ରିପୋର୍ଟ ନକାରାତ୍ମକ ରହୁଥିଲା, ସେହିମାନେ ଉପରକୁ ଉଠିପାରୁ ନ ଥିଲେ। ହେଲେ ଏବେ ସମସ୍ତେ ସାକ୍ଷାତ୍‌କାର ପରୀକ୍ଷା ଦେଲେ ସେମାନଙ୍କ ନ୍ୟାୟିକ ସୂକ୍ଷ୍ମ ବୁଦ୍ଧିର ପ୍ରମାଣ ମିଳିପାରିବ। ଏଭଳି ପ୍ରକ୍ରିୟା ସୁପ୍ରିମକୋର୍ଟ ବିଚାରପତିଙ୍କ କ୍ଷେତ୍ରରେ ଲାଗୁ ହେବା ଦରକାର। ସେ ସମ୍ବନ୍ଧରେ କିଛି ଖବର ଆସି ନାହିଁ। ତାହା ଲାଗୁ ହେଲେ ନବାଗତମାନେ ସେମାନଙ୍କ ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତିଙ୍କ ପାଖରେ ସାକ୍ଷାତକାରର ସମ୍ମୁଖୀନ ହୋଇପାରନ୍ତେ। ଏମିତି ବି କୁହାଯାଇପାରେ ଯେ ଯୋଗ୍ୟ ବ୍ୟକ୍ତିଙ୍କୁ ବାଛିବା ପାଇଁ ନିଦ୍ଦିର୍ର୍ଷ୍ଟ ପରୀକ୍ଷା ଦେଇ ସମାଜର ସବୁ ବର୍ଗ ଗଳଦ୍‌ଘର୍ମ ପ୍ରୟାସ କରୁଥିଲା ବେଳେ ରାୟ ଶୁଣାଉଥିବା ଶ୍ରେଣୀ ପ୍ରତି ସମାନ ପ୍ରକ୍ରିୟା ଲାଗୁ ହେବା ବାଞ୍ଛନୀୟ ଥିଲା। ଡେରିରେ ହେଲେ ମଧ୍ୟ ଆରମ୍ଭ ହୋଇଥିବା ପ୍ରକ୍ରିୟା ଆଗକୁ ବଳବତ୍ତର ରହିବା ସମସ୍ତେ ଚାହିଁବେ।
ଶେଷରେ ଏତିକି କୁହାଯାଇପାରେ ଗଣତନ୍ତ୍ରର ୩ ସ୍ତମ୍ଭ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିଲେ ସେମାନଙ୍କଠାରୁ ଅନ୍ୟମାନେ ଅନେକ କିଛି ଶିଖିପାରନ୍ତେ। ଏହାସହିତ ଆଉଟିକେ ଯୋଡ଼ିବା ପାଇଁ ଗଲେ କୁହାଯାଇପାରେ ସାଧାରଣ ନାଗରିକର ମଙ୍ଗଳ ମନାସିବାକୁ ହେଲେ ଏହିସବୁ ସ୍ତମ୍ଭ ମଧ୍ୟରେ ସବୁବେଳେ ଅପଡ଼ ରହିବା ଆବଶ୍ୟକ। ଯଦି ତିନି ବର୍ଗ ମଧ୍ୟରେ ଅତ୍ୟଧିକ ସମନ୍ବୟ ଆସିଗଲା, ମିଳିମିଶି ଦେଶକୁ ଲୁଟିବେ ଓ ସମସ୍ତେ ପାଲଟିଯିବେ ଯଶଓ୍ବନ୍ତ ଭର୍ମା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?